ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଏହି ଅବସରରେ ଲୋକଭବନ ଯାଇ ରାଜ୍ୟପାଳ ଡ. କମ୍ଭମପତି ହରି ବାବୁଙ୍କୁ ଭେଟିଛନ୍ତି । ସେ ଭେଟିବା ପରେ ରାଜ୍ୟପାଳ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି, ଆଜି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଲୋକଭବନରେ ମୋତେ ଭେଟିଛନ୍ତି । ଅପରେସନ ସିନ୍ଦୂରର ସଫଳ କାର୍ଯ୍ୟକାରୀତା ପାଇଁ ମୁଁ ତାଙ୍କୁ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଉଛି । ଯାହା ଦେଶ ପ୍ରତି ସେମାନଙ୍କର ଅଟଳ ସମର୍ପଣ ଏବଂ ଅନୁକରଣୀୟ ସେବାକୁ ପ୍ରତିଫଳିତ କରୁଛି ।ସୂଚନାଯୋଗ୍ୟ ଯେ, ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଥଳସେନା ମୁଖ୍ୟ ପହଞ୍ଚିଥିଲେ। ସେଠାରୁ କଡ଼ା ସୁରକ୍ଷା ବଳୟରେ ୧୨୦ ବାଟାଲିୟନ ଯାଇଥିଲେ । ଶନିବାର ପୁରୀ, ଗୋପାଳପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପରେ ସ୍ୱତନ୍ତ୍ର ବିମାନ ଯୋଗେ ଗୋପାଳପୁର ଯିବେ । ଆର୍ମି ଏୟାର ଡିଫେନ୍ସ କଲେଜ ଯାଇ ସେଠାରେ ସେନା ତାଲିମ ବ୍ୟବସ୍ଥାର ସମୀକ୍ଷା କରିବେ। ସେନା ଅଧିକାରୀ ଓ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିବେ। ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି। । ଆସନ୍ତା ୨୯ରେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଦିଲ୍ଲୀ ଫେରିବେ ।
