ପୁରୀ: ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନରେ ସ୍ୱତନ୍ତ୍ର ଏବଂ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଆଜି ୧୩୮ତମ ଦିନରେ ପହଞ୍ଚିଛି। ଉତ୍କଳ ଦିବସ ଏପ୍ରିଲ ୧ ତାରିଖରୁ ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପ୍ରତ୍ୟହ ଅହିଂସାମୂଳକ ଭାବେ ଏହି ପଦଯାତ୍ରା ଜାରି ରହିଛି। ଦିନ ପରେ ଦିନ ବିତି ଚାଲିଥିଲେ ମଧ୍ୟ ଦାବି ନେଇ ସତ୍ୟାଗ୍ରହୀ ପଦଯାତ୍ରୀମାନଙ୍କ ସଙ୍କଳ୍ପ ଅଟଳ ରହିଛି। ଆଜି ମଧ୍ୟ ସତ୍ୟାଗ୍ରହୀମାନେ ହାତରେ ଆଧାର କାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରିଥିଲେ। ପଦଯାତ୍ରା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ପହଞ୍ଚିବା ପରେ ସତ୍ୟାଗ୍ରହୀମାନେ ନିଜ ଆଧାର କାର୍ଡ ପ୍ରଦର୍ଶନ କରି ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପରେ ଘଣ୍ଟି ଦ୍ୱାର ଦେଇ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସତ୍ୟାଗ୍ରହୀମାନଙ୍କ ମଧ୍ୟରେ ଭକ୍ତି, ଆନନ୍ଦ ଓ ଆତ୍ମସନ୍ତୋଷର ପରିବେଶ ସୃଷ୍ଟି ହୋଇଥିଲା।ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ପୁରୀବାସୀଙ୍କ ପାଇଁ ଆଧାର କାର୍ଡ ଦେଖାଇ ପ୍ରବେଶର ସୁଯୋଗ ମିଳିବା ନିଶ୍ଚିତ ଭାବେ ଏକ ଆଶା ସୃଷ୍ଟି କରିଛି। ତେବେ କେବଳ ଗୋଟିଏ ଦିନ କିମ୍ବା କିଛି ଦିନ ପାଇଁ ଏଭଳି ସୁଯୋଗ ମିଳିବା ଦାବିର ସ୍ଥାୟୀ ସମାଧାନ ନୁହେଁ। ପୁରୀ ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସରକାରୀ ସ୍ତରରେ ସ୍ପଷ୍ଟ, ସୁସଂଗଠିତ, ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଘୋଷଣା କରାଯିବା ଆବଶ୍ୟକ। ମଞ୍ଚ ପକ୍ଷରୁ ଆହୁରି କୁହାଯାଇଛି ଯେ, ଅନେକ ସମୟରେ ପୁରୀ ସହରର ବିଭିନ୍ନ ଅଞ୍ଚଳର ଲୋକେ ଆଧାର କାର୍ଡ ଦେଖାଇବା ସତ୍ତ୍ୱେ ଶ୍ରୀମନ୍ଦିରରେ ପ୍ରବେଶ କରିପାରୁନଥିବା ନେଇ ମଞ୍ଚକୁ ଜଣାଇଛନ୍ତି। ତେଣୁ ଏକ ନିର୍ଦ୍ଦିଷ୍ଟ ଦିନର ବ୍ୟବସ୍ଥା ଅପେକ୍ଷା ପୁରୀବାସୀଙ୍କ ପାଇଁ ସବୁଦିନ ପାଇଁ ଲାଗୁ ହେବା ଭଳି ସ୍ପଷ୍ଟ ନୀତି ଓ ବ୍ୟବସ୍ଥା କରାଯିବା ଦାବି କରାଯାଇଛି।ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ପରମ୍ପରା ଓ ଧାର୍ମିକ ବ୍ୟବସ୍ଥା ପ୍ରତି ଆମର ସମ୍ପୂର୍ଣ୍ଣ ସମ୍ମାନ ରହିଛି।

ଆମର ଆନ୍ଦୋଳନ କାହାରି ବିରୋଧରେ ନୁହେଁ। ଏହା ପୁରୀବାସୀଙ୍କ ଦୀର୍ଘଦିନର ଦାବିକୁ ଅହିଂସା, ସତ୍ୟ ଓ ଶାନ୍ତିର ପଥରେ ଉପସ୍ଥାପନ କରିବାର ଏକ ପ୍ରୟାସ। ଆଜି ଆଧାର କାର୍ଡ ଦେଖାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଘଣ୍ଟି ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ଆମ ପାଇଁ ଆଶାର ଏକ ସଙ୍କେତ। କିନ୍ତୁ ଆମର ଲକ୍ଷ୍ୟ କେବଳ ଗୋଟିଏ ଦିନର ସୁବିଧା ନୁହେଁ।ପୁରୀବାସୀଙ୍କ ପାଇଁ ସ୍ଥାୟୀ ଓ ସ୍ୱତନ୍ତ୍ର ପ୍ରବେଶ-ଦର୍ଶନ ବ୍ୟବସ୍ଥା ସରକାରୀ ସ୍ତରରେ ଘୋଷଣା ହେବା ପର୍ଯ୍ୟନ୍ତ ଆମର ସତ୍ୟାଗ୍ରହ ପଦଯାତ୍ରା ଜାରି ରହିବ।ସେ ଆହୁରି କହିଛନ୍ତି ଯେ, ପୁରୀବାସୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ରହିଥିବା ଭାବନାତ୍ମକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ଦୃଷ୍ଟିରେ ରଖି ସରକାର ଏହି ଦାବି ପ୍ରତି ସମ୍ବେଦନଶୀଳ ଭାବେ ବିଚାର କରିବା ଆବଶ୍ୟକ। ପୁରୀବାସୀଙ୍କ ଦାବିର ଏକ ସ୍ଥାୟୀ ଓ ଗ୍ରହଣଯୋଗ୍ୟ ସମାଧାନ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ରବିବାର ସତ୍ୟାଗ୍ରହ ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ଲିଙ୍ଗରାଜ ସାହୁ, ଯାଦବାନନ୍ଦ ରାୟ, ସରସ୍ୱତୀ ପାତ୍ର, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ପବିତ୍ରା ନାୟକ, ଇଛା ଦାସ, ମନୀଷା ରାଣୀ, ବର୍ଷା ପଣ୍ଡା, ବୈଶାଳୀ ପ୍ରଧାନ, ସୌମ୍ୟା ସାହୁ, ନେହା ବେହେରା, ଚିକି ସାହୁ, ଶ୍ରଦ୍ଧା, ରଶ୍ମିତା ଦଳେଇ, ସୁଭଦ୍ରା ସାହୁ, ଦୀପା ସାହୁ, ମମତା ସ୍ୱାଇଁ, କିଶୋର ଚନ୍ଦ୍ର ଦାସ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ରମେଶ ଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।୧୩୮ ଦିନର ଏହି ଅହିଂସାମୂଳକ ପଦଯାତ୍ରା ମାଧ୍ୟମରେ ପୁରୀବାସୀ ନିଜ ଦାବିକୁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଉପସ୍ଥାପନ କରିଆସୁଛନ୍ତି। ପ୍ରତିଦିନର ପଦଚାରଣ ସହିତ ଦାବିର ସ୍ୱର ଆହୁରି ଦୃଢ଼ ହେଉଛି। ମହାପ୍ରଭୁଙ୍କ ପ୍ରତି ଅଗାଧ ଆସ୍ଥା ଓ ପୁରୀବାସୀଙ୍କ ଦାବିକୁ ନେଇ ଏହି ସତ୍ୟାଗ୍ରହ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ପାଦ ଚାଲିବ ଅହିଂସାର ପଥରେ। ସଙ୍କଳ୍ପ ରହିବ ନ୍ୟାୟର ଦାବିରେ।ଆଶା ରହିବ ମହାପ୍ରଭୁଙ୍କ ଦର୍ଶନରେ।
