ହାଇଦ୍ରାବାଦ: ଗୁରୁବାର ସକାଳେ ଆନ୍ଧ୍ର ପ୍ରଦେଶର ମାର୍କାପୁରମ ଜିଲ୍ଲାର ରାୟାବରମ ନିକଟରେ ଏକ ଘରୋଇ ବସ୍ ସହ ଟପ୍ପରର ଧକ୍କା ଫଳରେ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ହରିକୃଷ୍ଣ ଟ୍ରାଭେଲ୍ସର ଏହି ବସ୍ ତେଲେଙ୍ଗାନାର ନିର୍ମଳରୁ ନେଲୋର ଯାଉଥିବା ସମୟରେ ସକାଳ ପ୍ରାୟ ୬ଟା ସମୟରେ କାନିଗିରିରୁ ଆସୁଥିବା ପଥର ବୋଝେଇ ଟିପର ଗାଡ଼ି ସହିତ ଧକ୍କା ହୋଇଥିଲା। ଧକ୍କା ପରେ ବସ୍ଟିରେ ନିଆଁ ଲାଗିଗଲା। ଅନେକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଗଲେ। ଖବର ପାଇବା ପରେ ଦମକଳ ଗାଡ଼ି ସହ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଥିଲେ। ଆହତଙ୍କୁ ମାର୍କାପୁରମର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଏବଂ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ୫ଜଣଙ୍କୁ ଗୁଣ୍ଟୁର ଜିଜିଏଚ୍ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ମାର୍କାପୁରମ୍ ଜିଲ୍ଲାପାଳ ପି. ରାଜା ବାବୁ କହିଛନ୍ତି, ବସ୍ରେ ଥିବା ୪୧ ଜଣ ଯାତ୍ରୀ ବସିଥିଲେ। ମାର୍କାପୁରମ ଡିଏସପି ନାଗରାଜୁ କହିଛନ୍ତି, ଦୁର୍ଘଟଣାଟି ଏକ ମୋଡ଼ରେ ଘଟିଥିଲା। ବସଟି ତେଲଙ୍ଗାନାର ନିର୍ମଳରୁ ଆନ୍ଧ୍ର ପ୍ରଦେଶର ନେଲୋର ଜିଲ୍ଲାର ବିଞ୍ଜାମୁରୁକୁ ଯାତ୍ରା କରୁଥିଲା। ଘଟଣାର ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରିବାକୁ ପ୍ରୟାସ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ତାଙ୍କର ସମବେଦନା ଜଣାଇଛନ୍ତି। ଏଥି ସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କୁ ୫୦,୦୦୦ ମିଳିବ ବୋଲି ଘୋଷଣା କରିଛନ୍ତି। ଏହି କ୍ଷତିପୂରଣ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି।
