ପୁରୀ: ଦିନ ବଦଳୁଛି, ତାରିଖ ବଦଳୁଛି; କିନ୍ତୁ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ନ୍ୟାୟସଙ୍ଗତ ଅଧିକାରର ଆଶାରେ ପୁରୀବାସୀଙ୍କ ପଦଯାତ୍ରା ଅବିରତ ଜାରି ରହିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ନିଜର ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଚାଲିଥିବା ସଚେତନତା ସତ୍ୟାଗ୍ରହ ପଦଯାତ୍ରା ଆଜି ୧୩୭ତମ ଦିନରେ ପହଞ୍ଚିଛି। ଆଜି ସ୍ୱାଧୀନତା ଦିବସ। ଦେଶ ସ୍ୱାଧୀନତାର ୮୦ ବର୍ଷ ପାଳନ କରୁଥିବା ବେଳେ, ପୁରୀବାସୀ ମଧ୍ୟ ନିଜ ଅଧିକାର ଓ ସମ୍ମାନ ପାଇଁ ଅହିଂସାର ପଥରେ ନିଜ ସ୍ୱରକୁ ଦୃଢ଼ କରିଛନ୍ତି। ହାତରେ ଆଧାର କାର୍ଡ, ହୃଦୟରେ ମହାପ୍ରଭୁଙ୍କ ପ୍ରତି ଅଗାଧ ଭକ୍ତି ଏବଂ ମନରେ ଅହିଂସାର ସଂକଳ୍ପ ନେଇ ସତ୍ୟାଗ୍ରହୀମାନେ ଆଜି ମଧ୍ୟ ପଦଯାତ୍ରା କରିଥିଲେ। ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଘଣ୍ଟି ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିବା ସତ୍ୟାଗ୍ରହୀଙ୍କ ମନରେ ଆଶାର ଆଲୋକ ଜଳାଇଛି। କିନ୍ତୁ ଏହି ଆଶା କେବଳ ଗୋଟିଏ ଦିନର ସୁଯୋଗରେ ସୀମିତ ନୁହେଁ। ଦାବି ହେଉଛି, ପୁରୀବାସୀଙ୍କ ପାଇଁ ସ୍ଥାୟୀ, ସ୍ପଷ୍ଟ ଓ ସମ୍ମାନଜନକ ପ୍ରବେଶ-ଦର୍ଶନ ବ୍ୟବସ୍ଥା।ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଆମର ଲଢ଼େଇ କାହା ବିରୋଧରେ ନୁହେଁ।

ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ପରମ୍ପରା ଓ ଧାର୍ମିକ ବ୍ୟବସ୍ଥା ପ୍ରତି ଆମର ଗଭୀର ସମ୍ମାନ ରହିଛି। ଆମେ କେବଳ ନିଜ ଅଧିକାର ପାଇଁ ସତ୍ୟ ଓ ଅହିଂସାର ପଥରେ ଚାଲୁଛୁ। ଆଜିର ଦର୍ଶନ ଆମ ପାଇଁ ଆଶାର ସଙ୍କେତ, କିନ୍ତୁ ପୁରୀବାସୀଙ୍କ ପାଇଁ ସ୍ଥାୟୀ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଆମ ପଦଯାତ୍ରା ଥମିବ ନାହିଁ।ଶନିବାର ପଦଯାତ୍ରାରେ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, କାହ୍ନୁଚରଣ ପ୍ରଧାନ, ଲିଙ୍ଗରାଜ ସାହୁ, ଯାଦବାନନ୍ଦ ରାୟ, ରମେଶ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ମମତା ଦାସ, ଭାରତୀ ମହାନ୍ତି, ନିହାରିକା ତ୍ରିପାଠୀ, ପ୍ରଣତୀ ରାୟ, ସମ୍ପୂର୍ଣ୍ଣା ପ୍ରିୟଦର୍ଶିନୀ ପ୍ରଧାନ, ରୁପା ବେହେରା, ରଶ୍ମିତା ଦଳେଇ, ସୁଭଦ୍ରା ସାହୁ, ବୈଶାଳୀ ପ୍ରଧାନ, ବର୍ଷା ପଣ୍ଡା, ମମତା ସ୍ୱାଇଁ, ସନ୍ତୋଷ ସେନାପତି, କିଶୋର ଚନ୍ଦ୍ର ଦାସ, ସୁବାଷ ପଟ୍ଟନାୟକ, ମାନସ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ୧୩୭ ଦିନ ଧରି ଚାଲିଥିବା ଏହି ପଦଯାତ୍ରା କେବଳ ଏକ ଦାବିର ଯାତ୍ରା ନୁହେଁ ଏହା ଭକ୍ତି, ଆଶା, ଅଧିକାର ଓ ଅହିଂସାର ଏକ ନୀରବ ପଦଚିହ୍ନ। ପଦ ଥକିପାରେ, କିନ୍ତୁ ସଂକଳ୍ପ ଥକିବ ନାହିଁ; ରାସ୍ତା ଦୀର୍ଘ ହୋଇପାରେ, କିନ୍ତୁ ଆଶା ମଉଳିବ ନାହିଁ। ପାଦ ଚାଲୁଛି ମହାପ୍ରଭୁଙ୍କ ଦର୍ଶନର ଆଶାରେ।ସ୍ୱର ଉଠୁଛି ନ୍ୟାୟ ଓ ଅଧିକାର ପାଇଁ।ସଂକଳ୍ପ ଅଟୁଟ ଅହିଂସାର ପଥରେ।
