ନୂଆଦିଲ୍ଲୀ ; ଆସନ୍ତା ୧୫ ତାରିଖରୁ ବେଲଜିୟମ ଓ ନେଦରଲାଣ୍ଡସରେ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ । ଭାରତ ପୁଲ ଡି’ରେ ସାମିଲ ରହିଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ, ୱେଲ୍ସ ଓ ଇଂଲଣ୍ଡ ମଧ୍ୟ ଏହି ପୁଲରେ ସ୍ଥାନ ପାଇଛନ୍ତି । ଦୀର୍ଘ ୧୬ ବର୍ଷ ପରେ ଭାରତ ଓ ପାକିସ୍ତାନ ବିଶ୍ୱକପ୍ରେ ମୁହାଁମୁହିଁ ହେବେ । ଏହି ବହୁ ପ୍ରତୀକ୍ଷିତ ମ୍ୟାଚ ଆସନ୍ତା ୧୯ ତାରିଖରେ ଆମଷ୍ଟେଲଭିନରେ ଖେଳାଯିବ । ଶେଷ ଥର ଭାରତ ଓ ପାକିସ୍ତାନ ୨୦୧୦ ବିଶ୍ୱକପ୍ରେ ପୁଲରେ ମୁହାଁମୁହିଁ ହୋଇଥିଲେ । ଏହି ବିଶ୍ୱକପ୍ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା । ପୁଣି ଦେଢ଼ ଦଶନ୍ଧି ପରେ ଦୁଇ ଦଳ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଯାହାକୁ ବିଶ୍ୱକପ୍ ସବୁ ବଡ଼ ମ୍ୟାଚ କୁହାଯାଉଛି । ପୁଲରେ ଭାରତ ପ୍ରଥମ ମ୍ୟାଚ ୱେଲ୍ସ ବିପକ୍ଷରେ ଆସନ୍ତା ୧୫ ତାରିଖରେ ଖେଳିବ । ଏହାପରେ ୧୭ ତାରିଖରେ ଇଂଲଣ୍ଡ ଏବଂ ୧୯ରେ ପାକିସ୍ତାନକୁ ଭେଟିବାର ସୂଚୀ ରହିଛନ୍ତି । ଗ୍ରୁପ୍ର ଶ୍ରେଷ୍ଠ ୨ ଦଳ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହେବେ । ୨୦୧୦ରେ ଜିତିଥିଲା ଭାରତ ୨୦୧୦ ବିଶ୍ୱକପ୍ରେ ଭାରତ ୪-୧ ଗୋଲରେ ପାକିସ୍ତାନକୁ ପରାଜିତ କରିଥିଲା । ଉଭୟ ଦଳ ବିଶ୍ୱକପ୍ରେ ମୋଟ୍ ୫ ଥର ସାମ୍ନା ସାମ୍ନି ହୋଇଛନ୍ତି । ଭାରତ ୩ ଥର ଓ ପାକିସ୍ତାନ ୨ ଥର ବିଜୟୀ ହୋଇଛି । ୧୯୭୧ ବିଶ୍ୱକପ୍ରେ ପାକିସ୍ତାନ ୨-୧ ଗୋଲରେ ଭାରତକୁ ପରାଜିତ କରିଥିଲା । ୧୯୭୧ରେ ଭାରତ ୧-୦ ଗୋଲରେ ବିଜୟୀ ହୋଇଥିଲା । ୧୯୭୫ ବିଶ୍ୱକପ୍ରେଦୁଇ ଦଳ ମଧ୍ୟରେ ଟାଇଟଲ ଲଢ଼େଇ ହୋଇଥିଲା । ଭାରତ ୨-୧ ଗୋଲରେ ବିଜୟୀ ହୋଇ ପ୍ରଥମ ଥର ବିଶ୍ୱ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା । ୧୯୮୬ରେ ପାକିସ୍ତାନ ୩-୨ରେ ଭାରତକୁ ଏବଂ ୨୦୧୦ରେ ଭାରତ ୪- ୧ରେ ପାକିସ୍ତାନକୁ ହରାଇଥିଲା । ପାକିସ୍ତାନ ସର୍ବାଧିକ (୧୯୭୧, ୧୯୭୮, ୧୯୮୨ ଓ ୧୯୯୪) ୪ ଥର ବିଶ୍ୱ ଚାମ୍ପିଅନ ହୋଇଛି । କିନ୍ତୁ ଭାରତ ଥରୁଟିଏ ଜିତିଛି । କ୍ରମାନ୍ୱୟରେ ପୂର୍ବ ୨ଟି ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । କିନ୍ତୁ ଭାରତ ଘରୋଇ ପରିବେଶରେ ସେମିତି ଉନ୍ନତ ପ୍ରଦର୍ଶନ କରିପାରି ନଥିଲା । ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ ୧୯୮୦ ମସିହା ପରେ ଭାରତୀୟ ହକି ଏକ ପ୍ରକାର ଧରାସାୟୀ ହୋଇ ପଡ଼ିଥିଲା । ୨୦୧୨ ପରବର୍ତ୍ତୀ ସମୟରେ ଭାରତୀୟ ହକିରେ ପୁନର୍ଜାଗରଣ ହୋଇଥିଲା । ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟର କଠିନ ପରିଶ୍ରମ ପରେ ଶେଷରେ ଭାରତ ଅଲିମ୍ପିକ୍ସ ପଦକ ଜିତିବାରେ ସଫଳ ହୋଇଥିଲା । ୨୦୨୦ ଅଲିମ୍ପିକ୍ସରେ (୨୦୨୧ରେ ଆୟୋଜିତ) ଭାରତ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲା । ପୁଣି ଦଳ ୨୦୨୪ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଦୋହରାଇଥିଲା । କିନ୍ତୁ ପାକିସ୍ତାନ ହକି ଏକ ପ୍ରକାର ଧରାସାୟୀ ହୋଇ ପଡ଼ିଛି । ଦଳ ୧୯୯୪ ପରେ ଆଉ ସେମିତି ଚମକପୂର୍ଣ୍ଣ ପ୍ରଦର୍ଶନ ବିଶ୍ୱକପ୍ରେ କରିପାରି ନାହିଁ । ୧୬ ଦଳ, ୪ ପୁଲ ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ୧୬ଟି ଦଳ ଭାଗ ନେଇଛନ୍ତି । ସେମାନଙ୍କୁ ୪ଟି ପୁଲରେ ଭାଗ କରାଯାଇଛି । ପୁଲ ଏ’ରେ ନେଦରଲାଣ୍ଡସ, ଆର୍ଜେଣ୍ଟିନାନ୍ୟୁଜିଲାଣ୍ଡ ଓ ଜାପାନ ପୁଲ ବି’ରେ ବେଲଜିୟମ, ଜର୍ମାନୀ, ଫ୍ରାନ୍ସ ଓ ମାଲେସିଆ ପୁଲ ସି’ରେ ଅଷ୍ଟ୍ରେଲିଆ, ସ୍ପେନ, ଆୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଏବଂ ପୁଲ ଡି’ରେ ଭାରତ, ପାକିସ୍ତାନ, ୱେଲ୍ସ ଓ ଇଂଲଣ୍ଡ । ବିଶ୍ୱକପ୍ରେ ୨୪ ତାରିଖ ପର୍ଯ୍ୟନ୍ତ ପୁଲ ପର୍ଯ୍ୟାୟ ଚାଲିବ । ଏହାପରେ ପୋଜିସନ ମ୍ୟାଚ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୮ ତାରିଖରେ ଉଭୟ ସେମି ଫାଇନାଲ ଏବଂ ୩୦ ତାରିଖରେ ଫାଇନାଲ ଖେଳାଯିବ । ଭାରତୀୟ ଦଳ: ଗୋଲକିପର-ସୁରଜ କେର୍କେରା, ମୋହିତ । ଡିଫେଣ୍ଡର-ଜର୍ମନପ୍ରୀତ ସିଂ, ହର୍ମନପ୍ରୀତ ସିଂ (ଅଧିନାୟକ), ଅମିତ ରୋହିଦାସ, ଯୁଗରାଜ ସିଂ, ସଞ୍ଜୟ, ସୁମିତ, ୟଶଦୀପ ସିୱାଚ । ମିଡଫିଲ୍ଡର-ରାଜିନ୍ଦର ସିଂ, ଆଦିତ୍ୟ ଅର୍ଜୁନ ଲାଲାଗେ, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ନୀଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ । ଫରୱାର୍ଡ-ଦିଲପ୍ରୀତ ସିଂ, ଶିଳାନନ୍ଦ ଲାକ୍ରା, ସୁଖଜିତ ସିଂ, ମନଦୀପ ସିଂ ଓ ଅଭିଷେକ।
