ପୁରୀ: ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ପୁରୀ ପୁଲିସର ନିରନ୍ତର ପାଟ୍ରୋଲିଂ ଓ ତ୍ୱରିତ ପଦକ୍ଷେପ ଯୋଗୁଁ ଜଣେ ପର୍ଯ୍ୟଟକଙ୍କ ଠାରୁ ଚୋରି ହୋଇଥିବା ସୁନା ଚେନ୍ ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ କାବୁ କରାଯାଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳରୁ ପୁରୀ ବୁଲିବାକୁ ଆସିଥିବା କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ସମୟରେ ଜଣେ ବ୍ୟକ୍ତି ସୁଯୋଗ ନେଇ ଜଣେ ପର୍ଯ୍ୟଟକଙ୍କ ବେକରୁ ସୁନା ଚେନ୍ ଛିଡ଼ାଇ ନେଇଥିଲା। ଘଟଣା ପରେ ଅଭିଯୁକ୍ତ ଜଣକ ସୁନା ଚେନ୍ ନେଇ ସେଠାରୁ ଦୌଡ଼ି ପଳାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପିସିଆର -୫ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ବିଳମ୍ବ ନକରି ଅଭିଯୁକ୍ତ ଯେଉଁ ଦିଗକୁ ଦୌଡ଼ି ପଳାଇଥିଲା, ସେହି ଦିଗକୁ ତାଙ୍କ ପିଛା କରିଥିଲେ। ପୁଲିସ କର୍ମଚାରୀଙ୍କୁ ପିଛା କରୁଥିବା ଦେଖି ଅଭିଯୁକ୍ତ ଜଣକ ପୁରୀ ହୋଟେଲ ଲେନ ଭିତରକୁ ପଶି ଯାଇଥିଲା। ପୁଲିସକୁ ଚକମା ଦେଇ ଖସିଯିବା ଉଦ୍ଦେଶ୍ୟରେ ସେ ସାଙ୍ଗରେ ନେଇଯାଉଥିବା ସୁନା ଚେନ୍?ଟିକୁ ସେଠାରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟକୁ ଫୋପାଡ଼ି ଦେଇଥିଲା। ତେବେ ପୋଲିସ କର୍ମଚାରୀମାନେ ଅଭିଯୁକ୍ତଙ୍କ ଗତିବିଧିକୁ ନଜରରେ ରଖି ତାଙ୍କୁ ପିଛା କରିଥିଲେ। ଶେଷରେ ଅଭିଯୁକ୍ତ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ତାଙ୍କୁ କାବୁ କରିଥିଲେ। ଏଥିସହ ଅଭିଯୁକ୍ତ ଫୋପାଡ଼ି ଦେଇଥିବା ସୁନା ଚେନ୍ଟି ମଧ୍ୟ ଉଦ୍ଧାର କରାଯାଇଥିଲା। ଘଟଣା ସମୟରେ ଅଭିଯୁକ୍ତଙ୍କ ଦ୍ୱାରା ସୁନା ଚେନ୍ ଛିଡ଼ାଇ ନେବା ସମୟରେ ପର୍ଯ୍ୟଟକ ଜଣକ ଆହତ ହୋଇଥିଲେ।

ତାଙ୍କୁ ପୁଲିସ ପକ୍ଷରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଅଭିଯୁକ୍ତ ହେଲେ ବି ଛାଟୁ ବେହେରା , ବୟସ ୩୩ ବର୍ଷ,ବାଲିନୋଳିଆ ସାହି, ପୁରୀ। ଅଭିଯୁକ୍ତଙ୍କୁ ବର୍ତ୍ତମାନ ସମୁଦ୍ରକୁଳ ଥାନାରେ ଅଟକ ରଖାଯାଇଛି। ଘଟଣା ସମ୍ପର୍କରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଚାଲୁ ରହିଛି। ପୁରୀ ପୁଲିସ ପକ୍ଷରୁ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଉଛି ଯେ, ସମୁଦ୍ରକୂଳରେ ଗାଧୋଇବା ସମୟରେ ନିଜର ମୂଲ୍ୟବାନ ସାମଗ୍ରୀ, ଯଥା ସୁନା ଅଳଙ୍କାର, ମୋବାଇଲ୍ ଫୋନ୍, ପର୍ସ ଓ ଅନ୍ୟାନ୍ୟ ଜିନିଷ ସୁରକ୍ଷିତ ସ୍ଥାନରେ ରଖନ୍ତୁ। ଅଜଣା ବ୍ୟକ୍ତିଙ୍କ ଗତିବିଧି ପ୍ରତି ସତର୍କ ରୁହନ୍ତୁ ଏବଂ କୌଣସି ସନ୍ଦେହଜନକ ଘଟଣା ଘଟିଲେ ତୁରନ୍ତ ନିକଟସ୍ଥ ପୁଲିସ କର୍ମଚାରୀଙ୍କୁ ଜଣାନ୍ତୁ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପୁରୀ ପୁଲିସ ପକ୍ଷରୁ ସମୁଦ୍ରକୂଳ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଏବଂ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ଜାରି ରହିଛି। ଏହି ଘଟଣାରେ ପିସିଆର -୫ ଟିମ୍ ର ତ୍ୱରିତ ପ୍ରତିକ୍ରିୟା ଓ ଅଭିଯୁକ୍ତଙ୍କୁ ପିଛା କରି କାବୁ କରିବା ସହ ଚୋରି ହୋଇଥିବା ସୁନା ଚେନ୍ ଉଦ୍ଧାର କରିଥିବାରୁ ପର୍ଯ୍ୟଟକ ପୁରୀ ପୋଲିସଙ୍କୁ ପ୍ରଶଂସା କରିଛନ୍ତି ।
