ଆସିକା: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବାତ୍ୟା ଠାରୁ ବନ୍ୟା ଯନ୍ତ୍ରଣା ବେଶି ହୋଇଛି। ଆଶା ଠାରୁ ଅଧିକ ବର୍ଷା ହେବା କାରଣରୁ ଆସିକା ସହର ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟା ବିଭିଷିକା ସୃଷ୍ଟି ହୋଇଛି । ବିଶେଷ କରି ଆସିକାକୁ ସଂଯୋଗ ଥିବା ସମସ୍ତ ରାସ୍ତା ବିଛିନ୍ନ ହୋଇଛି । ଆସିକା- ବ୍ରହ୍ମପୁର ମୁଖ୍ୟ ରାସ୍ତା, ଆସିକା-ସୋରଡା ରାସ୍ତା, ଆସିକା ଶେରଗଡ ରାସ୍ତା ଏବଂ ଆସିକା- ଭଞ୍ଜନଗର ମୂଖ୍ୟ ରାସ୍ତା ଜଳମଗ୍ନ ସାଙ୍ଗକୁ ଯୋଗାଯୋଗ ବିର୍ଛିନ ହୋଇଛି ।

ଆସିକା ସହରର ଦୁଇ ନଦୀ ଋଷିକୂଲ୍ୟା ଓ ବଡନଦୀର ଜଳସ୍ତର ୍ୱୃଦ୍ଧି ହୋଇ ସହରକୁ ସମ୍ପୂର୍ଣ୍ଣ ବୁଡାଇ ଦେଇଛି । ଋଷିକୂଲ୍ୟା ନଦୀରେ ପ୍ରାୟ ୧୪ ଫୁଟ ଜଳସ୍ତର ଏବଂ ବଡନଦୀର ଜଳସ୍ତର ୧୨ ଫୁଟ ବୃଦ୍ଧି ହୋଇ ସହର ମଧ୍ୟରେ ବନ୍ୟା ଜଳ ପ୍ରବେଶ କରିଥିଲା । ସେପଟେ ସହର ମୁଖ୍ୟ ନାଳ ଟିପିସର ନାଳରେ ଜଳ ବୃଦ୍ଧି ହୋଇ ବନ୍ୟା ଘଟାଇ ଆସିକାକୁ ବୁଡାଇବା ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା । ଆସିକା ସବଡିଭିଜନ ମେଡିକାଲରେ ପ୍ରାୟ ୫ ରୁ ୬ ଫୁଟ ବନ୍ୟା ଜଳ ପଶି ରୋଗୀ ସେବାକୁ ବ୍ୟାଘାତ କରିଥିଲା । ଏହାପରେ ସହରର ବିଭିନ୍ନ ୱାର୍ଡରେ ଅଚାନକ ବନ୍ୟା ଜଳ ଲୋକଙ୍କ ଘରେ ପ୍ରବେଶ କରି ସମସ୍ତ ଆସବାବପତ୍ର ଓ ଧନ ନଷ୍ଟ କରିଛି । ଆସିକା ବସଷ୍ଟାଣ୍ଡ, ଲକ୍ଷ୍ମୀ ବଜାର, ବିନାୟକ ବଜାର, ଖମ୍ବେଶ୍ୱରୀ ପାଟଣା, କୁମ୍ଭାର ସାହି, ବାଣିବିହାର, ଅଶୋକ ସିନେମା ହଲ ରୋଡ, ହାଟପଦା, ନିରଞ୍ଜନ ନଗର, ମହାତ୍ମାଗାନ୍ଧୀ ରୋଡ, ଲାଲାଗୋର୍ଜି, ସୁନାମ ସାହି , ତାଲୁକା ଛକ, ଲଛମନପଲ୍ଲୀ , ଲାଲଖଶାସନ, ପାକଲାପଲ୍ଲୀ, ପୁଡୁଗେଶ୍ୱରପଲ୍ଲୀ, ରଘୁନାଥ ନଗର ସମେତ ନଦୀ ତଟବର୍ତୀ ଅଞ୍ଚଳ ଗଣ୍ଡପଲ୍ଲୀ, ତୁମ୍ବାଠେଙ୍ଗାପଲ୍ଲୀ, ଚଢିଆପଲ୍ଲୀ ,ଜଗନ୍ନାଥ ପଲ୍ଲୀ, କେରାଇସିଙ୍ଗପୁର, ଫୁଲସରପଲ୍ଲୀ ପ୍ରମୁଖ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କ୍ଷୟକ୍ଷତି ଘଟାଇଛି । ସେପଟେ ହରଭଙ୍ଗୀ ବ୍ୟାରେଜ ଜଳ ସୋରଡା ପଦ୍ମା ନଦୀ ଜଳ ଋଷିକୂଲ୍ୟା ନଦୀରେ ପ୍ରବେଶ କରିବା ଫଳରେ ପ୍ରଥମେ ସୁକନଇ ନବରତ୍ନପୁର ଗାଁରେ ପ୍ରବେଶ କରିଥିଲା । ଏହାପରେ ନବରତ୍ନପୁର ଗାଁରେ ବନ୍ୟାର ବିଭିଷିକା ଦେଖାଦେଇଥିଲା । ଏହି ଗାଁରେ ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି ଘଟାଇଥିଲା । ନବରତ୍ନପୁର ଗାଁର ପ୍ରାୟ ୫ ରୁ ୬ ଲୋକର ଘର ସମ୍ପୂର୍ଣ୍ଣ ଭୁଷୁପାଇଥିଲା ।

ଏତିକି ବେଳେ ଏକ ଡାଲା ଅଟୋ ଗାଡିକୁ ବନ୍ୟା ଜଳରେ ଭସାଇ ଦେଇଥିଲା । ଏହାସହିତ ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ ଲୋକଙ୍କ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ରହିଛି । ସେପଟେ ଗଙ୍ଗାପୁର ପଞ୍ଚାୟତର ଅନେକ ଗାଁ ଜଳବନ୍ଦୀ ସାଙ୍ଗକୁ ଶତାଧିକ ଲୋକ ଜଳବନ୍ଦୀ ଘେରରେ ଏବେ ବି ଫସିଥିବା ଜଣା ପଡିଛି । ଗଙ୍ଗାପୁର ପଞ୍ଚାୟତର ମାଗୁରା, ଗଙ୍ଗାପୁର, ସାହାସପୁର, କିଶୋର ଚନ୍ଦ୍ର ପଲ୍ଲୀ, ନୁଆଗାଁ, କୈବଲ୍ୟପୁର ପ୍ରମୁଖ ଗାଁ ଲୋକ ଜଳବନ୍ଦୀ ହୋଇ ରହିଥିବା ବେଳେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଆସିଥିବା ଅଗ୍ନିଶମ ବିଭାଗ ବିଫଳ ହୋଇ ଫେରିଥିଲା । । ସେହିଭଳି ଝଗଡେଇ ଠାରେ ଇନ୍ଦ୍ରଜିତ ପ୍ରଧାନ ତାଙ୍କ ପୁତୁରା ସହିତ ଆସିକାରୁ ଫେରୁଥିବା ବେଳେ ବନ୍ୟା ସ୍ରୋତର ଜଳରେ ତାଙ୍କ ସ୍କୁଟି ଭାସିଥିବା ବେଳେ ଅଳ୍ପକେ ବଞ୍ଚି ଥିବା ଜଣାପଡିଛି । ମଙ୍ଗଳପୁର ଗ୍ରାମପଞ୍ଚାୟତରେ ଥିବା ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର ବନ୍ୟା ଜଳରେ ଭାସିଯିବା ଦ୍ୱାରା ମଙ୍ଗଳପୁର ପଞ୍ଚାୟତ, ବାଲିଛାଇ ପଞ୍ଚାୟତ ଏବଂ ଅନେକ ଗ୍ରାମ ଅନ୍ଧାରରେ ରହିଛନ୍ତି । ଆସିକା ବ୍ଲକ କାଳଷଣ୍ଡପୁର, ନଳବଣ୍ଟା, ପାଟଳିଗୁଡା, ନିରାଳ, ଋଷିପୁର, ଝଗଡେଇ, ଦେବଭୂମି ଗ୍ରାମ ପଞ୍ଚାୟତର ଦେବଭୂମି ଗାଁ, କେ.ନୁଆପଲ୍ଲି, କର୍ପୂର ନୂଆଗାଁ, ଜୟପୁର ପଞ୍ଚାୟତର କେନ୍ଦୁପଦର, ତରାସିଙ୍ଗ, ପଢାଳ ସମେତ ବିଭିନ୍ନ ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛି ।

ଆସିକା ସହରର ସରକାରୀ ବ୍ଲକ କାର୍ଯ୍ୟାଳୟ , ତହସିଲ କାର୍ଯ୍ୟାଳୟ, ପୋଲିସ ଥାନା, ସିଡିପିଓ କାର୍ଯ୍ୟାଳୟ, ଆର.ଆଇ କାର୍ଯ୍ୟାଳୟ, ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ, ପରିସଂଖ୍ୟାନ କାର୍ଯ୍ୟାଳୟ ସମେତ ବିଭିନ୍ନ ୍େୱସରକାରୀ ଅନୁଷ୍ଠାନ ଜଳରେ ବୁଡି ରହିଥିଲା । ଆଜି ପାଣ୍ଡିଆପଥର ଗାଁର କିଛି ଲୋକ ଏ.ଆର.ସି.ଏସ କାର୍ଯ୍ୟାଳୟକୁ ଆସିଥିଲେ । କିନ୍ତୁ ହଠାତ ୍ୱନ୍ୟା ଜଳ ବୃଦ୍ଧି ହେବାରୁ ପ୍ରାୟ ୨୦ରୁ ଅଧିକ ଲୋକ ଜଳବନ୍ଦୀ ଘେରରେ ରହିଥିବା ସୂଚନା ମିଳିଛି । ଆସିକା ତାଲୁକା ସ୍ଥିତ ବିଦ୍ୟୁତ ଡିଭିଜନ-୧ ଅଫିସ ମଧ୍ୟ ଜଳବନ୍ଦୀ ହୋଇ ରହିଥିଲା ଖବର ଲେଖା ପର୍ଯ୍ୟନ୍ତ ଆସିକା ସହରରେ ସମସ୍ତ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।
