ପୁରୀ: ପୋଲିସର କର୍ତ୍ତବ୍ୟ କେବଳ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷାରେ ସୀମିତ ନୁହେଁ। ବିପଦ ସମୟରେ ମାନବିକତାର ହାତ ବଢ଼ାଇ ଅସହାୟଙ୍କ ପାଖରେ ଠିଆ ହେବା ମଧ୍ୟ ପୋଲିସ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହାର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ପୁରୀ ପୋଲିସର ତିନିଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ। ସୂଚନା ଅନୁଯାୟୀ, ରକ୍ତଜନିତ ସମସ୍ୟାରେ ପୀଡ଼ିତ ଜଣେ ରୋଗୀ ଏବଂ କିଡ୍?ନୀ ସମସ୍ୟାରେ ପୀଡ଼ିତ ଜଣେ ରୋଗୀଙ୍କ ପାଇଁ ଜରୁରୀକାଳୀନ ଭାବେ ମୋଟ ୩ ୟୁନିଟ୍ ରକ୍ତର ଆବଶ୍ୟକତା ଥିଲା। ରୋଗୀମାନଙ୍କ ଚିକିତ୍ସା ଜାରି ରହିଥିବା ସମୟରେ ତୁରନ୍ତ ରକ୍ତର ଆବଶ୍ୟକତା ଥିବା ସମ୍ପର୍କରେ ପୁରୀ ଏସପି ପ୍ରତୀକ ସିଂଙ୍କୁ ସୂଚନା ମିଳିଥିଲା। ରକ୍ତର ଜରୁରୀ ଆବଶ୍ୟକତା ସମ୍ପର୍କରେ ସୂଚନା ପାଇବା ପରେ ଏସପି ଶ୍ରୀ ସିଂ ତୁରନ୍ତ ପଦକ୍ଷେପ ନେବା ସହ ଆବଶ୍ୟକ ରକ୍ତ ଯୋଗାଣ ପାଇଁ ପୋଲିସ କର୍ମଚାରୀମାନଙ୍କୁ ସୂଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁରୀ ପୋଲିସ ପକ୍ଷରୁ ରକ୍ତଦାନ ପାଇଁ ଆବଶ୍ୟକ ସୂଚନା କରାଯାଇଥିଲା।

ଏହି ଜରୁରୀ ପରିସ୍ଥିତିରେ ପୁରୀ ପୋଲିସର ଦୁଷ୍ମନ୍ତ କୁମାର ସାହୁ, ମହେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ସୌମ୍ୟ ରଞ୍ଜନ ସେଠୀ ମାନବିକତାର ପରିଚୟ ଦେଇ ତୁରନ୍ତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ସେମାନେ ବିଳମ୍ବ ନକରି ସମ୍ପୃକ୍ତ ମେଡିକାଲରେ ପହଞ୍ଚି ନିଜ ରକ୍ତଦାନ କରିଥିଲେ। ଫଳରେ ଆବଶ୍ୟକ ଥିବା ୩ ୟୁନିଟ୍ ରକ୍ତ ଯୋଗାଣ ସମ୍ଭବ ହୋଇଥିଲା ଏବଂ ରୋଗୀମାନଙ୍କ ଚିକିତ୍ସାରେ ଏହା ସହାୟକ ହୋଇଥିଲା।ଏହି ତିନିଜଣ ପୋଲିସ କର୍ମଚାରୀଙ୍କ ଏହି ଉଦ୍ୟମ କେବଳ ଏକ ରକ୍ତଦାନ ନୁହେଁ, ବରଂ ମାନବିକତା, କର୍ତ୍ତବ୍ୟନିଷ୍ଠା ଓ ସେବା ମନୋଭାବର ଏକ ଉଦାହରଣ। ନିଜ କର୍ତ୍ତବ୍ୟ ପାଳନ ସହିତ ଆବଶ୍ୟକ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ଆଗେଇ ଆସିବା ନିଶ୍ଚିତ ଭାବେ ପ୍ରଶଂସନୀୟ। ପୁରୀ ପୋଲିସର ଏହି ମାନବିକ ପଦକ୍ଷେପ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ରକ୍ତଦାନ ପ୍ରତି ସଚେତନତା ଓ ଆଗ୍ରହ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଜରୁରୀ ସମୟରେ ରକ୍ତର ଅଭାବ ଯୋଗୁଁ ଯେପରି କୌଣସି ରୋଗୀ ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମାଜର ପ୍ରତ୍ୟେକ ସୁସ୍ଥ ନାଗରିକ ନିଜ ସାମର୍ଥ୍ୟ ଅନୁଯାୟୀ ରକ୍ତଦାନ କରିବାକୁ ଆଗେଇ ଆସିବା ଆବଶ୍ୟକ। ରକ୍ତଦାନ ଏକ ମହାନ ସେବା। ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଇଥିବା ରକ୍ତ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ତେଣୁ ଜନସାଧାରଣଙ୍କୁ ନିୟମିତ ରକ୍ତଦାନ ପାଇଁ ଆଗେଇ ଆସିବା ସହ ଏଭଳି ମାନବିକ କାର୍ଯ୍ୟରେ ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରିବାକୁ ପୁରୀ ପୋଲିସ ପକ୍ଷରୁ ଆହ୍ୱାନ କରାଯାଉଛି। ପୁରୀ ପୋଲିସର ଏହି ତିନିଜଣଙ୍କୁ ନିଷ୍ଠା, ତତ୍ପରତା ଓ ମାନବିକ ମନୋଭାବ ପୋଲିସ ବିଭାଗର ସେବା, ସୁରକ୍ଷା ଓ ସହଯୋଗ ର ମୂଳ ଭାବନାକୁ ପ୍ରତିଫଳିତ କରୁଛି।
