କଳାହାଣ୍ଡି: କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ଡମ କର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେମାନେ ହେଲେ ଡମ କର୍ଲାଖୁଣ୍ଟା ଗ୍ରାମର ତୁଳସୀରାମ ସାହୁ (୪୧), ସୁରସିଂ ପାତ୍ର (୩୫) ଓ ଫଟାମୁଣ୍ଡାର ବଳଦେବ ସାହୁ (୨୮)। ସେମାନଙ୍କଠାରୁ ହତ୍ୟାରେ ବ୍ୟବହୃତ ଛୁରି, ବାଇକ୍, ମୋବାଇଲ ଫୋନ ଜବତ କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ଶୁକ୍ରବାର ଭବାନୀପାଟଣାଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍?ପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି,ଘଟଣାକୁ ଗୁରୁତ୍ୱର ସହ ନେଇ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ବୈଜ୍ଞାନିକ ତଦନ୍ତ, ସାକ୍ଷ୍ୟ ପ୍ରମାଣ ସଂଗ୍ରହ ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଫଳରେ ଅଳ୍ପ ସମୟ ମଧ୍ଯରେ ଅଭିଯୁକ୍ତମାନଙ୍କୁ ଧରିବା ସମ୍ଭବ ହୋଇଥିଲା। ଆଇନ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍?ପି ଦେବରକୋଣ୍ଡା କହିଛନ୍ତି।ପ୍ରକାଶ ଯେ, ଗତ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ଫକୀର ରଣା ସ୍ଥାନୀୟ ବସ୍ତିରୁ ଶ୍ରମିକଙ୍କୁ ଭେଟି ବାଇକ୍ରେ ଘରକୁ ଫେରୁଥିବାବେଳେ ନିକଟରେ ଥିବା ଏକ ପୋଲରେ ଉପରୋକ୍ତ ୩ ଅଭିଯୁକ୍ତ ହତ୍ୟା କରିବା ପାଇଁ ପୂର୍ବରୁ ଛକି ରହିଥିଲେ। ଫକୀର ସେଠାରେ ପହଞ୍ଚିବା ପରେ ହଠାତ୍ ସେମାନେ ଆକ୍ରମଣ କରିଥିଲେ। ଫକୀର ନିଜ ବାଇକ୍କୁ ଛାଡ଼ି ରାସ୍ତାରେ ଦୌଡ଼ି ପଳାଉଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ ପ୍ରାୟ ଶହେ ମିଟର ଗୋଡ଼ାଇ ଛୁରିରେ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫକୀରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗୁରୁବାର ସକାଳେ ମୃତ ଫକୀରଙ୍କ ସ୍ତ୍ରୀ ସ୍ନିଗ୍ଧା ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଏକ ମାମଲା (ନଂ.୧୯୮/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
