ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ପାଟପୁର ଗାଁରେ ଆତଙ୍କ ସୃଷ୍ଟି କରିଥିବା ପାଗଳ ହନୁମାଙ୍କଡ଼କୁ ଶୁକ୍ରବାର ବନ ବିଭାଗ ସଫଳତାର ସହ କାବୁ କରିଛି।ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ସ୍ୱତନ୍ତ୍ର ଅପରେସନ୍ ପରେ ଟ୍ରାଙ୍କୁଲାଇଜର ସାହାଯ୍ୟରେ ମାଙ୍କଡ଼ଟିକୁ ଧରାଯାଇଥିଲା।ଗତ ୩/୪ ଦିନ ତଳେ ପାଟପୁର–ବାମନାଳ ମୁଖ୍ୟ ରାସ୍ତାରେ ଏକ ହନୁମାଙ୍କଡ଼ ଦଳ ବସି ରହିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।ମାଙ୍କଡ଼ମାନଙ୍କୁ ରାସ୍ତାରୁ ହଟାଇବାକୁ କିଛି ସ୍ଥାନୀୟ ଲୋକ ଉଦ୍ୟମ କରିବା ସମୟରେ ଗୋଟିଏ ହନୁମାଙ୍କଡ଼ ହଠାତ୍ ଉତ୍ତେଜିତ ହୋଇ ଲୋକମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲା।ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।ଘଟଣାସ୍ଥଳରେ ଗୋପ ବନାଞ୍ଚଳ ଅଧିକାରୀ ସଦଳବଳେ ପହଞ୍ଚିଥିଲେ ମଧ୍ୟ ସେହିଦିନ ମାଙ୍କଡ଼କୁ କାବୁ କରିପାରି ନଥିଲେ।ପରେ ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଥିଲା।ଏହାପରେ ବନ ବିଭାଗ ପକ୍ଷରୁ ୧୦ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।ଗୋପ ବନ୍ୟଜନ୍ତୁ ରେଞ୍ଜର ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ,ନିମାପଡ଼ା ଫରେଷ୍ଟର ବଳଭଦ୍ର ନାୟକ, ବନରକ୍ଷୀ ଅମିତ କୁମାର ନନ୍ଦଙ୍କ ସମେତ ବନ ବିଭାଗର ଅନ୍ୟ କର୍ମଚାରୀ ଓ ଟ୍ରାଙ୍କୁଲାଇଜେସନ୍ ଟିମ୍?ର ଉପସ୍ଥିତିରେ ପ୍ରାୟ ୩ ଘଣ୍ଟାର ଅପରେସନ୍ ପରେ ପାଗଳ ହନୁମାଙ୍କଡ଼କୁ ସଫଳତାର ସହ କାବୁ କରାଯାଇଥିଲା।ଏହା ପରେ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହେବା ସହ ବନ ବିଭାଗର ପଦକ୍ଷେପକୁ ସ୍ୱାଗତ କରିଛନ୍ତି।
