ଭୁବନେଶ୍ୱର: ବଲାଙ୍ଗିରର ଓଡ଼ିଆ ପୁଅ ଭାବରେ ସମ୍ପ୍ରତି ଗଣମାଧ୍ୟମ ଓ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ବ୍ୟକ୍ତି ହେଉଛନ୍ତି କ୍ୟାପଟେନ୍ ଧୀରଜ ଅଗ୍ରୱାଲ। ନିକଟରେ ଇରାନ-ଆମେରିକା ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ନିଜର ଅଦମ୍ୟ ସାହସିକତା ପ୍ରଦର୍ଶନ କରି ସେ ସାରା ଦେଶ ପାଇଁ ଗର୍ବ ଆଣିଦେଇଛନ୍ତି। ଧୀରଜ ହେଉଛନ୍ତି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିଅଞ୍ଚଳର ବାସିନ୍ଦା। ତାଙ୍କ ପିତାଙ୍କ ନାମ ସ୍ୱର୍ଗତ ରମେଶ ଅଗ୍ରୱାଲ ଏବଂ ମାତାଙ୍କ ନାମ ସନ୍ତୋଷ ଅଗ୍ରୱାଲ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ବର୍ତ୍ତମାନ ତୈଳ ଓ ଗ୍ୟାସ ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଏହି ସମୟରେ ଭାରତ ପାଇଁ ଏକ ଖୁସି ଖବର ଆସିଛି। ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା କାରଣରୁ ଇରାନ ଅକ୍ତିଆରରେ ଥିବା ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳ ବନ୍ଦ ରହିଥିଲା। । ଏହି କାରଣରୁ ଭାରତରେ ରନ୍ଧନ ଗ୍ୟାସର ଉତ୍କଟ ଅଭାବ ଦେଖାଦେଇଥିଲା। ଏହି ସଙ୍କଟ ସମୟରେ କ୍ୟାପଟେନ୍ ଧୀରଜ ନିଜର ଦକ୍ଷତା, ବୁଦ୍ଧିମତା ଓ ଧୈର୍ଯ୍ୟର ସହ ୪୬,୦୦୦ ମେଟ୍ରିକ୍ ଟନ୍ ଏଲ୍ପିଜି ଗ୍ୟାସ୍ କଣ୍ଟେନରେଭର୍ତ୍ତି ଜାହାଜ ’ନନ୍ଦାଦେବୀ’କୁ ସେହି ବିପଦପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଭାବରେ ଭାରତକୁ ଆଣିବାରେ ସଫଳ ହୋଇଛନ୍ତି।ଶିକ୍ଷା ଓ ବୃତ୍ତି: ଧୀରଜ ନିଜର ଉଚ୍ଚଶିକ୍ଷା ଶେଷ କରିବା ପରେ ମୁମ୍ବାଇସ୍ଥିତ ମେରିଟାଇମ୍ ଟ୍ରେନଇନଷ୍ଟିଚ୍ୟୁଟରୁ ନୌ-ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ। ୨୦୧୭ ମସିହାରୁ ବିଭିନ୍ନ ନୌବାହନ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବା ପରେ ସେ ବର୍ତ୍ତମାନ ‘ସିପିଂ କର୍ପୋରେସନ ଅଫ୍ ଇଣ୍ଡିଆ’ରେ କାର୍ଯ୍ୟରତ ଅଛନ୍ତି। ରାଷ୍ଟ୍ରୀୟ ସଙ୍କଟ ସମୟରେ ତାଙ୍କର ଏହି ନିଷ୍ଠା ଓ ସାହସ ଯୋଗୁଁ ଆଜି କେବଳ ବଲାଙ୍ଗିର ନୁହେଁ, ସମଗ୍ର ଦେଶ ଗର୍ବିତ।
