ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ, ଇସ୍ରାଏଲ ଏବେ ତେହେରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ଅଲି ଲାରିଜାନି ମୃତ୍ୟୁ ନେଇ ଚର୍ଚ୍ଚା। ଖାମେନେଇଙ୍କ ମୃତ୍ୟୁ ପରେ ଲାରିଜାନି ହିଁ ଇରାନକୁ ପରଦା ପଛରୁ ଚଳାଉଥିଲେ। ଲାରିଜାନିଙ୍କୁ ହତ୍ୟା କରାଯାଇଥିବାର ସୂଚନା ଦେଇଛନ୍ତି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ। ସେ କହିଛନ୍ତି, ଇସ୍ରାଏଲ ସେନା ବାସିଜ ପାରାମିଲିଟାରୀ ମିଲିସିଆର ମୁଖ୍ୟ ଗୋଲାମରେଜା ସୋଲେମାନି ଏବଂ ତାଙ୍କ ଡେପୁଟି ସୟଦ କାରିଶିଙ୍କୁ ମଧ୍ୟ ମାରିବାରେ ସଫଳ ହୋଇଛି। କେବଳ ସେତିକି ନୁହେଁ ଇସ୍ରାଏଲ ସେନା ଇରାନର ଆଇଆରଜିସି ବାୟୁସେନା ମୁଖ୍ୟଙ୍କୁ ହତ୍ୟା କରିଛି। ସେପେଟ ଇସ୍ରାଏଲର ଏହି ଦାବିକୁ ଇରାନ ଖଣ୍ଡନ କରିଛି। ଲାରିଜାନିଙ୍କ ଅଫିସ କହିଛି ଯେ,ଖୁବ୍ ଶୀଘ୍ର ଇରାନର ସର୍ବୋଚ୍ଚ ସୁରକ୍ଷା ପରିଷଦ ମୁଖ୍ୟ ନିଜର ବାର୍ତ୍ତା ଜାରି କରିବେ। ଏହା ପୂର୍ବରୁ ଇସ୍ରାଏଲ ମିଡିଆ ଡିଫେନ୍ସ ଫୋର୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ କୁହାଯାଇଥିଲା ସୋମବାର ରାତିରେ ଲାରିଜାନିଙ୍କ ଠିକଣା ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣ ଗୁଇନ୍ଦା ରିପୋର୍ଟ ଅନୁସାରେ,କରାଯାଇଛି। ଆକ୍ରମଣରେ ଲାରିଜାନିଙ୍କ ମୃତ୍ୟୁ ହୋଇଛି। ଖାମେନେଇଙ୍କ ହତ୍ୟା ପରେ ଲାରିଜାନି ହିଁ ସେନାକୁ କୋଅର୍ଡିନେଟ୍ କରୁଥିଲେ। ସେ ସମସ୍ତ ଜରୁରୀ ନିଷ୍ପତ୍ତି ନେଉଥିଲେ। କାରଣ ଇରାନର ନୂତନ ସର୍ବୋଚ୍ଚ ନେତା ବର୍ତ୍ତମାନ ଆହତ ଅଛନ୍ତି। ଖାମେନେଇଙ୍କ ଖୁବ୍ ଘନିଷ୍ଠ ଥିଲେ ଲାରିଜାନି। ଜୁନ୍ ୨୦୨୫ରେ ଲାରିଜାନିଙ୍କୁ ଖାମେନେଇଙ୍କ ସର୍ବୋଚ୍ଚ ସୁରକ୍ଷା ପରିଷଦର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ଆମେରିକାର ସେଣ୍ଟକମ୍କମାଣ୍ଡ ନିକଟରେ ଲାରିଜାନିଙ୍କୁ ହିଟ୍ ଲିଷ୍ଟରେ ସାମିଲ କରିଥିଲା। ଲାରିଜାନିଙ୍କ ମୁଣ୍ଡ ଉପରେ ଆମେରିକା ମଧ୍ୟ ପୁରସ୍କାର ଘୋଷଣା କରିଛି। ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ରେ ଲାରିଜାନିଙ୍କ ଶେଷ ପୋଷ୍ଟ ସୋମବାର (ମାର୍ଚ୍ଚ ୧୬) ଥିଲା। ଏଥିରେ ସେ ଇରାନ ପକ୍ଷରୁ ସମସ୍ତ ମୁସଲିମ ଦେଶକୁ ଏକ ଚିଠି ଲେଖିଥିଲେ। ଲାରିଜାନି ଯିହୁଦୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିରୁଦ୍ଧରେ ଲଢ଼ିବାକୁ ଆହ୍ୱାନ ଦେଇଥିଲେ। ଟ୍ରମ୍ପଙ୍କୁ ମଧ୍ୟ ଧମକ ଦେଇଥିଲେ। ଜେରୁଜେଲମ୍ ପୋଷ୍ଟ ତିନୋଟି ସୂତ୍ରରୁ ଖବର ଦେଇଛି ଯେ, ଲାରିଜାନିଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଏକ ବିମାନ ଆକ୍ରମଣରେ ଲାରିଜାନି ନିହତ ହୋଇଛନ୍ତି। ଇସ୍ରାଏଲୀ ପ୍ରତିରକ୍ଷାମନ୍ତ୍ରୀ ଏବଂ ସେନା ମଧ୍ୟ ନିଶ୍ଚିତ କରିଛି ଯେ ଅଲି ଲାରିଜାନିଙ୍କୁ ଟାର୍ଗେଟ କରାଯାଇଥିଲା। ଇସ୍ରାଏଲୀ ସେନା କହିଛି, ‘ଗତ ରାତିରେ ଏକ ବିମାନ ଆକ୍ରମଣରେ ଲାରିଜାନି ଏବଂ ଜଣେ ବାସିଜ କମାଣ୍ଡରଙ୍କ ମୃତ୍ୟୁ ହୋଇଛି।’ ଉଭୟେ ଆକ୍ସିସ୍ ଅଫ୍ ଇଭିଲ୍ର ସଦସ୍ୟ ଥିଲେ। ଏବେ ସେମାନେ ନର୍କରେ ପହଞ୍ଚି ଯାଇଛନ୍ତି।’ଟାଇମ୍ସ ଅଫ୍ ଇସ୍ରାଏଲ ଅନୁଯାୟୀ, ଯୁଦ୍ଧ ତୃତୀୟ ସପ୍ତାହରେ ପ୍ରବେଶ କରିବା ସମୟରେ ଇସ୍ରାଏଲ ଲାରିଜାନିଙ୍କୁ ଟାର୍ଗେଟ କରି ତାଙ୍କ ସ୍ଥାନ ଉପରେ ଆକ୍ରମଣକରିଥିଲା। ଇସ୍ରାଏଲ ଏପର୍ଯ୍ୟନ୍ତ ଲାରିଜାନିଙ୍କ ବିଷୟରେ ଅଧିକ ସୂଚନା ପାଇନାହିଁ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବାସିଜ୍ ଫୋର୍ସର ମୁଖ୍ୟ ଘୋଲାମ୍ ରେଜା ସୋଲେମାନିଙ୍କୁ ହତ୍ୟା କରିଥିବା ଦାବି କରିଛି। ବାସିଜ୍ ହେଉଛି ଇରାନର ସବୁଠାରୁ ବଡ଼ ଅର୍ଦ୍ଧ-ସରକାରୀ ସଂଗଠନ। ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ ନୌସେନା ନିସନ୍ଦେହରେ ଏହାର ୮୭ ନାବିକଙ୍କ ମୃତ୍ୟୁର ପ୍ରତିଶୋଧ ନେବ।ଏହି ଆକ୍ରମଣ ମାର୍ଚ୍ଚ ୪ରେ ଘଟିଥିଲା, ଯେତେବେଳେ ଏକ ଆମେରିକୀୟ ବୁଡ଼ାଜାହାଜ ଶ୍ରୀଲଙ୍କାର ଗାଲେ ଉପକୂଳ ନିକଟରେ ଅନ୍ତର୍ଜାତୀୟ ଜଳସୀମାରେ ଇରାନୀ ନୌସେନା ଜାହାଜ, ଓଜଓଝ ଡେନାକୁ ବୁଡ଼ାଇ ଦେଇଥିଲା। ଏହି ଘଟଣାରେ ଅତି କମରେ ୮୭ ଇରାନୀ ନାବିକଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ କେତେଜଣଙ୍କୁ ଉଦ୍ଧାର କରାଯାଇଥିଲା।ଇରାନୀ ନୌସେନା ଜାହାଜ ଭାରତ ସହିତ ଏକ ମିଳିତ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରି ଇରାନ ଫେରୁଥିଲା। ଇରାନର ସରକାରୀ ଗଣମାଧ୍ୟମ, ପ୍ରେସ ଟିଭି ଅନୁଯାୟୀ, ରିଅର ଆଡମିରାଲ ଶାହରାମ ଇରାନୀ ମଙ୍ଗଳବାର କହିଛନ୍ତି, ‘ଆମେ ଶତ୍ରୁ ଦ୍ୱାରା କରାଯାଇଥିବା ଏହି ଅପରାଧକୁ କେବେ ଭୁଲିବୁ ନାହିଁ ଏବଂ ନିଶ୍ଚିତ ଭାବରେ ଆମର ଶହୀଦଙ୍କ ରକ୍ତର ପ୍ରତିଶୋଧ ନେବୁ।’ସେ ଚେତାବନୀ ଦେଇଛନ୍ତି ଯେ ଶତ୍ରୁ ଏପରି ସ୍ଥାନରୁ ଏକ ଘାତକ ଆକ୍ରମଣରେ ଆଘାତ ପାଇବ ଯାହା ସେମାନେ ଅତି କମରେ ଆଶା କରି ନ ଥିବେ।ଇରାନୀ ନୌସେନା ମୁଖ୍ୟ ଆହୁରି କହିଛନ୍ତି, ‘ଆଜି ଆମେ ଆମର ପ୍ରିୟଜନଙ୍କ ପାଇଁ ଶୋକ କରୁଛୁ, କିନ୍ତୁ ଆଲ୍ଲାଙ୍କ କୃପାରୁ, ଆମେ ଶତ୍ରୁକୁ ଟାଣି ଆଣିଛୁ।’ସେ ଏହି ଘଟଣାକୁ ‘ନରହତ୍ୟା’ ବୋଲି ଅଭିହିତ କରିଥିଲେ ଏବଂ ଦୃଢ଼ ଭାବରେ କହିଥିଲେ ଯେ ଇରାନ ଏହି ଆକ୍ରମଣର ଜବାବ ‘ମାରାତ୍ମକ ଆକ୍ରମଣ’ ସହିତ ଦେବ। ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଘଟଣା ପ୍ରଥମ ଥର ପାଇଁ ଘଟିଛି ଯେ ଏକ ଆମେରିକୀୟ ବୁଡ଼ାଜାହାଜ ଟର୍ପେଡୋ ବ୍ୟବହାର କରି ଶତ୍ରୁ ଜାହାଜକୁ ବୁଡ଼ାଇ ଦେଇଛି।
