ଭୁବନେଶ୍ୱର: ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ରାଜ୍ୟର ୩ କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ୍, ରମେଶ ଜେନା ଏବଂ ଦାଶରଥି ଗମାଙ୍ଗୋଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସୁଜିତ ପାଢ଼ୀ ମଙ୍ଗଳବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ବିଧାନସଭାରେ କଂଗ୍ରେସର ୧୪ ଜଣ ବିଧାୟକ ଅଛନ୍ତି। ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ବିଜେଡି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ସମସ୍ତ ୧୪ ବିଧାୟକଙ୍କୁ ହ୍ୱିପ୍ ଜାରି ହୋଇଥିଲା। ହେଲେ ଏହି ୩ ବିଧାୟକ ଏହାକୁ ଅମାନ୍ୟ କରି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇଥିଲେ। ବିଜେଡି ଏବଂ କଂଗ୍ରେସ ବିଧାୟକମାନଙ୍କ କ୍ରସ୍ ଭୋଟିଂ ଯୋଗୁଁ ଦିଲୀପ ବିଜୟୀ ହୋଇଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମିଡିଆ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି ଯେ ଦଳ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଧାୟକମାନଙ୍କୁ ନିଲମ୍ବିତ କରାଯାଇଛି। କଂଗ୍ରେସରୁ ନିଲମ୍ବିତ ହୋଇଥିବା ଦାଶରଥି ଗମାଙ୍ଗୋ ଗଜପତି ଜିଲ୍ଲାର ମୋହନାରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ସେ ଦୁଇଥର ବିଧାୟକ ରହିଛନ୍ତି। କଂଗ୍ରେସର ଜିଲ୍ଲା ସଭାପତି ମଧ୍ୟ ରହିଛନ୍ତି। ସେହିପରି ସୋଫିଆ ଫିରଦୋସ କଟକ-ବାରବାଟୀ ଆସନରୁ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରମେଶ ଜେନା ଗଂଜାମ ଜିଲ୍ଲାର ସାନଖେମୁଣ୍ଡିରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ।
