ବାରିପଦା /କରଞ୍ଜିଆ ; କରଞ୍ଜିଆ ସହରର ୱାର୍ଡ ନମ୍ବର–୨ କରଡିଆ ଅଞ୍ଚଳରେ ମଙ୍ଗଳବାର ଭୋର ସମୟରେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଛିନତାଇ ହୋଇଥିବାର ଘଟଣା ଘଟିଛି। ଏହି ଘଟଣା ପରେ ସହରର ମହିଳାମାନଙ୍କ ମଧ୍ୟରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କରଡିଆ ନିବାସୀ ଦୁର୍ଯ୍ୟୋଧନ ବାରିକଙ୍କ ବୃଦ୍ଧା ମାତା ଭୋର ସମୟରେ ଘର ବାହାରେ ଝାଡୁ ଦେଉଥିବା ବେଳେ ଜଣେ ଦୁର୍ବୃତ୍ତ ଠିକଣା ପଚାରିବା ବାହାନାରେ ତାଙ୍କ ନିକଟକୁ ଆସିଥିଲା। କଥାବାର୍ତ୍ତା କରୁଥିବା ସମୟରେ ସୁଯୋଗ ନେଇ ସେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଦୌଡ଼ି ପଳାଇଥିଲା। ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଦୁର୍ବୃତ୍ତ ରାସ୍ତାର ଅପର ପାର୍ଶ୍ୱରେ ଏକ ମୋଟରସାଇକେଲ ଷ୍ଟାର୍ଟ କରି ଅପେକ୍ଷା କରିଥିଲା। ଉଭୟ ଦୁର୍ବୃତ୍ତ ମୋଟରସାଇକେଲରେ ଗୋଲେଇ ଅଭିମୁଖେ ଦ୍ରୁତଗତିରେ ଫେରାର ହୋଇଯାଇଥିଲେ। ଖବର ପାଇ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ତଦନ୍ତ ଆରମ୍ଭ କରିଥିଲା। ନିକଟସ୍ଥ ସିସିଟିଭି କ୍ୟାମେରାର ଫୁଟେଜ ସଂଗ୍ରହ କରାଯାଇଥିବାବେଳେ, ସେହି ଫୁଟେଜକୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି। ସହରରେ ଦିନକୁ ଦିନ ଚୋରି , ଛିନତାଇ ଘଟଣା ବଢ଼ୁଥିବାରୁ ସ୍ଥାନୀୟ ବାସିନ୍ଦାମାନେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ଓ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
