ବାରିପଦା /ସାହାରପଡା; କେନ୍ଦୁଝର ବନଖଣ୍ଡ, ପାଟଣା ବନାଞ୍ଚଳର ବାଉଁଶୁଳି ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ କାଦୁଅ ମାଟିରେ ଫସିଯାଇଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ପରେ ସୃଷ୍ଟି ହୋଇଥିବା ଚର୍ଚ୍ଚା ମଧ୍ୟରେ ବନ ବିଭାଗ ପକ୍ଷରୁ ବିସ୍ତୃତ ସ୍ପଷ୍ଟୀକରଣ ଦିଆଯାଇଛି। ବିଭାଗ କହିଛି ଯେ, ଘଟଣାସ୍ଥଳରେ କୌଣସି ଗାତ ଖୋଳାଯାଇନଥିଲା। ଲଗାଣ ବର୍ଷା ଯୋଗୁଁ ଜଙ୍ଗଲ ଭିତରେ ଜଳ ଜମି ମାଟି ଅତ୍ୟଧିକ ନରମ ଓ କାଦୁଅ ହୋଇଯାଇଥିବାରୁ ସେହି ରାସ୍ତା ଦେଇ ଯାଉଥିବା ୨୦ ଟିକିଆ ହାତୀପଲର ଅଧିକାଂଶ ହାତୀଙ୍କ ଗୋଡ଼ ମାଟିରେ ଦବିଯାଇଥିଲା।
ବନ ବିଭାଗର ସୂଚନା ଅନୁସାରେ, ହାତୀପଲରେ ଥିବା ଦନ୍ତା ହାତୀର ଓଜନ ଅଧିକ ଥିବାରୁ ସେ ଅନ୍ୟ ହାତୀଙ୍କ ତୁଳନାରେ ଅଧିକ ଗଭୀର ଭାବେ କାଦୁଅରେ ଫସିଯାଇଥିଲା ଏବଂ ବାହାରିବା ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ କରୁଥିଲା।

ପରବର୍ତ୍ତୀ ସମୟରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଓ ଅଭିଯୋଗ ସାମ୍ନାକୁ ଆସିଥିଲା। ବନ ବିଭାଗ ଆହୁରି କହିଛି ଯେ, ହାତୀଟି ସଙ୍କଟରେ ଥିବା ସମୟରେ କିଛି ବ୍ୟକ୍ତି ସହାୟତା କରିବା ପରିବର୍ତ୍ତେ ହୋ-ହଲ୍ଲା କରିବା ସହ ବାଡ଼ି ଓ ପଥର ଫିଙ୍ଗି ହାତୀକୁ ଭୟଭୀତ କରିଥିବାର ଅଭିଯୋଗ ରହିଛି। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ହାତୀ ପରି ସଂରକ୍ଷିତ ବନ୍ୟଜନ୍ତୁଙ୍କୁ ଆକ୍ରମଣ, ନିର୍ଯାତନା କିମ୍ବା ଏପରି କାର୍ଯ୍ୟକୁ ଉତ୍ସାହିତ କରିବା ଦଣ୍ଡନୀୟ ଅପରାଧ ବୋଲି ବିଭାଗ ସ୍ପଷ୍ଟ କରିଛି।
ଘଟଣାସ୍ଥଳ ପରିଦର୍ଶନ ବେଳେ ପ୍ରାୟ ୧୦୦ ମିଟରରୁ ଅଧିକ ଅଞ୍ଚଳରେ ହାତୀପଲର ପାଦଚିହ୍ନ ଓ ମାଟିରେ ଦବିଯାଇଥିବା ସ୍ପଷ୍ଟ ଚିହ୍ନ ମିଳିଥିବା ବନ ବିଭାଗ ସୂଚନା ଦେଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ କେବଳ ଗୋଟିଏ ଦନ୍ତା ହାତୀ ନୁହେଁ, ପ୍ରାୟ ସମଗ୍ର ହାତୀପଲ କାଦୁଅ ମାଟିରେ ଫସିଫସି ଆଗକୁ ବଢ଼ିଥିଲେ। ଓଜନ ଅଧିକ ଥିବାରୁ ଦନ୍ତା ହାତୀର ସ୍ଥିତି ଅଧିକ ଗୁରୁତର ହୋଇଥିଲା।

ବର୍ତ୍ତମାନ ହାତୀଟି ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ, ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀ-ମଣିଷ ସଂଘର୍ଷ ଘଟୁଥିବାରୁ ପାଟଣା ବନାଞ୍ଚଳର କାର୍ଯ୍ୟପ୍ରଣାଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେତେକ ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ଯେ, ହାତୀପଲର ଚଳପ୍ରଚଳ ଓ ଆକ୍ରମଣ ସମ୍ପର୍କିତ ସୂଚନା ଥିଲେ ମଧ୍ୟ ପ୍ରଭାବଶାଳୀ ପଦକ୍ଷେପ ସମୟରେ ନିଆଯାଉନାହିଁ। ତେବେ ଏହି ଅଭିଯୋଗ ଉପରେ ବନ ବିଭାଗର ସ୍ୱତନ୍ତ୍ର ପ୍ରତିକ୍ରିୟା ମିଳିନାହିଁ। ଭାଇରାଲ ଭିଡିଓକୁ ଆଧାର କରି ହାତୀକୁ ନିର୍ଯାତନା ଦେଇଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବନ୍ୟପ୍ରେମୀ, ପରିବେଶବିତ୍ ଏବଂ ସାଧାରଣ ଲୋକ ଦାବି କରିଛନ୍ତି। ଏହାସହ ବନ୍ୟଜନ୍ତୁ ସୁରକ୍ଷା, ଜଙ୍ଗଲ ଅଞ୍ଚଳରେ ନଜରଦାରି ବୃଦ୍ଧି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବନ ବିଭାଗ ଅଧିକ ସକ୍ରିୟ ପଦକ୍ଷେପ ନେବାକୁ ମଧ୍ୟ ଦାବି ଜୋର ଧରିଛି।
