ବାଲୁଗାଁ: ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗୀ ରେଞ୍ଜ ଅବକାରୀ ନିରୀକ୍ଷକ ଅଜିତ ପାତ୍ରଙ୍କ ତତ୍ୱବଧାନରେ ଶନିବାର ପୂର୍ବାହ୍ନରେ ବାଲୁଗାଁ ରେଳ ଷ୍ଟେସନ ରୋଡ ଓ କୁଲକୁଣ୍ଢେଇ ଛକ ଓଭର ବ୍ରିଜ ନିକଟରେ ଚଢ଼ାଉ କରି ୩୧ କେଜି ଗଞ୍ଜେଇ ଜବତ କରିବାସହ ଦୁଇ ଜଣଙ୍କୁ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ।ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୩ ଲକ୍ଷ ୨୨ ହଜାର ଟଙ୍କା ହେବ ବୋଲି ଜଣାପଡିଛି।ଏ ସଂକ୍ରାନ୍ତରେ ବାଲୁଗାଁ ଅବକାରୀ କେଶ ନଂ ୧୧୮/୨୬-୨୭ ଓ ଟାଙ୍ଗୀ ରେଞ୍ଜ ଅବକାରୀ କେଶ ନଂ ୪୩/୨୬-୨୭ରେ ପୃଥକ ଭାବେ ମାମଲା ରୁଜୁ କରି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡି ଗ୍ରାମର ଗଞ୍ଜେଇ ବେପାରୀ ଅଭିଯୁକ୍ତ ରାଜୁ ଗୌଡ଼ଙ୍କ (୪୪) ନିକଟରୁ ୨୧ କେଜି ଗଞ୍ଜେଇ,ଗୋଟିଏ ମୋବାଇଲ ଫୋନ ଓ ନଗଦ ୧୦ ହଜାର ଟଙ୍କା ଏବଂ ଛଚିନା ଜଗନ୍ନାଥପୂର ଗମର ବାଉରୀବନ୍ଧୁ ଜେନାଙ୍କ (୭୫) ନିକଟରୁ ୧୦ କେଜି ଗଞ୍ଜେଇ ଓ ଗୋଟିଏ ମୋବାଇଲ ଫୋନ ଜବତ କରିବାସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଶ୍ରୀ ପାତ୍ର କହିଛନ୍ତି।ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା,ଏଏସଆଇ ରାମଚନ୍ଦ୍ର ଜେନା,କନେଷ୍ଟବଳ ରଞ୍ଜିତ ପଟେଲ,ସୁନିତା ମହାରଣା,ସତ୍ୟବନ୍ତ ମାଝି,ମନୋଜ କୁମାର ଜୟସିଂହ,ଅନିଲ କୁମାର ପ୍ରଧାନ,ସସ୍ମିତା ସେଠୀ ପ୍ରମୁଖ ସାମିଲ ଥିଲେ।
