ବାରିପଦା: ରାଇରଙ୍ଗପୁରସ୍ଥିତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଠାରେ ଗତ ୭ତାରିଖ ଠାରୁ ୩ ଦିନ ଧରି ଚାଲିଆସୁଥିବା ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା -୨୦୨୬ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଇଂ ଗଣେଶ ରାମ ସିଂଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଚରଣ ହେମ୍ବ୍ରମ, ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲପାଳ ଅଜିତ କୁମାର, ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ରାଇରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ଓଡିଶା ଅଲମ୍ପିକ ଆସୋସିଏସନ ସଭାପତି ସମୀର କୁମାର ମହାନ୍ତି ପ୍ରମୁଖଙ୍କ ସମେତ ସ୍ୱତନ୍ତ୍ର ଅତିଥି ଭାବେ କ୍ରୀଡା ଜଗତର ସୁନାମ ଧନ୍ୟ କ୍ରୀଡ଼ାବିତ ତଥା ଅଲମ୍ପିଆଡ଼ ଏବଂ ଅର୍ଜୁନ ପୁରସ୍କାର ପ୍ରାପ୍ତ ଧାବିକା ଦୁତି ଚାନ୍ଦ ଯୋଗ ଦେଇ କ୍ରୀଡ଼ା କେବଳ ଶାରୀରିକ ଦକ୍ଷତାର ବିକାଶ କରେ ନାହିଁ, ବରଂ ଶୃଙ୍ଖଳା, ଏକାଗ୍ରତା, ଧୈର୍ଯ୍ୟ, ନେତୃତ୍ୱ ଓ ଦଳଗତ ମନୋଭାବର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ବୋଲି କହିଥିଲେ ।ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କନିଷ୍ଠ ବର୍ଗର ଶତାଧିକ ପ୍ରତିଭାବାନ କ୍ରୀଡ଼ାବିତ ବିଭିନ୍ନ ଦୌଡ଼, ଲମ୍ଫ ଓ ନିକ୍ଷେପ ଇଭେଣ୍ଟରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ. ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରିଥିବା କ୍ରୀଡ଼ାବିତ ମାନଙ୍କୁ ଉଦଯାପନୀ ଉତ୍ସବରେ ପଦକ, ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ଅବସର ରେ ପ୍ରତିଯୋଗିତାକୁ ସୁଚାରୁ ଓ ସଫଳତାର ସହ ଆୟୋଜନ କରିବାରେ ସହଯୋଗ କରିଥିବା ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, କ୍ରୀଡ଼ା ବିଭାଗ, ଓଡ଼ିଶା ଆଥଲେଟିକ୍ସ ସଂଘ, ବିଚାରକମଣ୍ଡଳୀ, ପ୍ରଶିକ୍ଷକ, ସ୍ୱେଚ୍ଛାସେବୀ ଓ ସମସ୍ତ ସହଯୋଗୀଙ୍କୁ ଆୟୋଜକଙ୍କ ପକ୍ଷରୁ ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
