ପୁରୀ: ମଙ୍ଗଳବାର ପୂର୍ବାହ୍ନ ମଧୁବନ ପଞ୍ଚମ ଗଳିର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ୭୮ ବର୍ଷୀୟ ନିରୁପମା ମିଶ୍ର ନୃସିଂହ ମନ୍ଦିର ନିକଟକୁ ଶାଗ କିଣି ମାଟିଆପଡା ଛକ ଦେଇ ଘରକୁ ଫେରୁଥିଲେ। ମାଟିଆପଡା ଛକ ଗିରି ଗୋସ୍ୱାମୀ ମଠ ନିକଟରେ କେଟିଏମ ସ୍ପିଡି ବାଇକରେ ଦୁଇଜଣ ଦୁର୍ବୃତ୍ତ ଦ୍ରୁତ ଗତିରେ ଆସି ନିରୁପମାଙ୍କ ବେକରୁ ୨୩ଗ୍ରାମ ଓଜନର ସୁନା ଚେନ ଝାମ୍ପି ନେଇଥିଲେ । ଏ ସମ୍ପର୍କରେ ନିରୁପମା ତାଳବଣିଆ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୮୩/୨୬ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା । ସିସିଟିଭି ଦୃଶ୍ଯକୁ ଆଧାର କରି ଦୁଇଜଣ ଲୁଟେରାଙ୍କୁ ପିପିଲି ଠାରେ ପୋଲିସ କାବୁ କରିଥିଲା । ବୁଧବାର ଦିନ ଏସମ୍ପର୍କରେ ପୋଲିସ ମୁଖ୍ଯ କାର୍ଯ୍ଯାଳୟ ଠାରେ ଏସପି ପ୍ରତୀକ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଗତକାଲି ଘଟଣା ପରେ ସବୁଥାନାକୁ ଆଲର୍ଟ କରାଯାଇଥିଲା । ପିପିଲି ଠାରେ ଏହି ଦୁଇଜଣ ଲୁଟେରାଙ୍କୁ ପୋଲିସ କାବୁ କରିଥିଲା । ଲୁଟେରା ଦୁଇଜଣ ବିହାର ରାଜ୍ୟର ଆଠମଙ୍ଗଳା ଥାନା ଅଞ୍ଚଳର ଚନ୍ଦା ଗ୍ରାମର ୨୭ ବର୍ଷୀୟ ମୋନୁ ସିଂହ ଓ ସୀତାମାରୀ ଜିଲ୍ଲାର ବିଲା ହିଜେରାମ ଗ୍ରାମର ୨୮ ବର୍ଷୀୟ ଦୀପକ କୁମାର ସିଂହ । ବିହାର ବାସିନ୍ଦା ହୋଇଥିବା ବେଳେ ଦିଲ୍ଲୀରେ ରହି ଲୁଟ କରୁଥିଲେ । ମଝିରେ ମଝିରେ ଓଡ଼ିଶା ଆସି ଭୁବନେଶ୍ୱରରେ ରହି ଆଖପାଖ ଜିଲ୍ଲାରୁ ଲୁଟ କରି ଦିଲ୍ଲୀ ପଳାଉଥିଲେ । ଦିଲ୍ଲୀ ନମ୍ବର ପ୍ଲେଟ ବଦଳାଇ ଓଡ଼ିଶା ନମ୍ବର ପ୍ଲେଟ ବାଇକରେ ଲଗାଉଥିଲେ । ଏହି ଛିନତାଇ ପୂର୍ବରୁ ପୁରୀ ବ୍ରହ୍ମଗିରି ରାସ୍ତା ଖଡିପଦା ଛକ ଠାରୁ ଅଶୋକ ପଟ୍ଟନାୟକଙ୍କ ବେକରୁ ମଧ୍ଯ ସୁନା ଚେନ ଛିନତାଇ କରିଥିଲେ । ସେମାନଙ୍କ ଠାରୁ ଦୁଇଟି ସୁନା ଚେନ, ଗୋଟିଏ କେଟିଏମ ମଟର ସାଇକେଲ ନମ୍ବର ଓଡି-୦୨ ସିଡି ୨୩୬୧, ଗୋଟିଏ ଏୟାର ବ୍ଯାଗ ,ଦୁଇଟି ଦିଲ୍ଲୀ ପଞ୍ଜିକରଣ ନମ୍ବର ପ୍ଲେଟ ଓ ଦୁଇଟି ମଟର ସାଇକେଲ ଚାବି ଜବତ କରାଯାଇଛି ।
