ପୁରୀ: ସତ୍ୟ, ଅହିଂସା ଓ ନୀରବତାର ପଥରେ ଅବିଚଳ ରହି ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସତ୍ୟାଗ୍ରହ ପଦଯାତ୍ରା ଆଜି ୧୨୧ ଦିନରେ ପହଞ୍ଚିଛି। କୌଣସି ସ୍ଲୋଗାନ କିମ୍ବା ପ୍ରତିବାଦର କୋଳାହଳ ନୁହେଁ, ବରଂ ଭକ୍ତି, ଧୈର୍ଯ୍ୟ ଓ ପ୍ରାର୍ଥନାର ଶକ୍ତିକୁ ସାଥୀ କରି ସତ୍ୟାଗ୍ରହୀମାନେ ପ୍ରତିଦିନ ମହାପ୍ରଭୁଙ୍କ ଚରଣରେ ନିଜର ନିବେଦନ ଜାରି ରଖିଛନ୍ତି।ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସତ୍ୟାଗ୍ରହୀମାନେ ପ୍ରାର୍ଥନା କରିଥିଲେ, “ହେ କାଳିଆ ସାଆନ୍ତ! ତୁମେ ସମଗ୍ର ବିଶ୍ୱର ନାଥ।

ତୁମ ଦ୍ୱାରରେ କୌଣସି ଭକ୍ତ ବଞ୍ଚିତ ନ ହୁଅନ୍ତୁ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ଶୀଘ୍ର ପୁନଃସ୍ଥାପନ କରି ସମତା, କରୁଣା ଓ ସାର୍ବଜନୀନତାର ଜଗନ୍ନାଥ ପରମ୍ପରାକୁ ଅକ୍ଷୁଣ୍ଣ ରଖ।” ସତ୍ୟାଗ୍ରହୀମାନେ କହିଛନ୍ତି, ଏହି ପଦଯାତ୍ରା କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ନୁହେଁ। ଏହା ମହାପ୍ରଭୁଙ୍କ ଚରଣେ ଜଣେ ଭକ୍ତର ନୀରବ ପ୍ରାର୍ଥନା ଏବଂ ଜଗନ୍ନାଥ ସଂସ୍କୃତିର ସମତା, ନ୍ୟାୟ ଓ ଭକ୍ତିର ମୂଲ୍ୟବୋଧକୁ ସୁରକ୍ଷିତ ରଖିବାର ଏକ ଶାନ୍ତିପୂର୍ଣ୍ଣ ପ୍ରୟାସ।ଗୁରୁବାର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ସନ୍ଧ୍ୟାରାଣୀ ମିଶ୍ର, ମମତା ଦାସ, ଅରୁଣା ପଟ୍ଟନାୟକ, ରିତିକା ପ୍ରଧାନ, ବର୍ଷା ସାହୁ, ବିପାସା ସିଂହ, କଣ୍ଢେଇ ପ୍ରଧାନ, ମମତା ସ୍ୱାଇଁ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ସୁବାଷ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜର ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର କେବଳ ଏକ ସୁବିଧା ନୁହେଁ, ବରଂ ମହାପ୍ରଭୁଙ୍କ ସହ ସେମାନଙ୍କର ଶତାବ୍ଦୀ ପୁରୁଣା ସମ୍ପର୍କ, ପରମ୍ପରା ଓ ଆସ୍ଥାର ଅବିଚ୍ଛିନ୍ନ ଅଂଶ। ଏହି ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ନୀରବ ସତ୍ୟାଗ୍ରହ ଅବିରତ ଜାରି ରହିବ।ସେ କହିଛନ୍ତି, “ଏହି ସତ୍ୟାଗ୍ରହ କାହାକୁ ପରାସ୍ତ କରିବା ପାଇଁ ନୁହେଁ; ବରଂ ମହାପ୍ରଭୁଙ୍କ ଦ୍ୱାରରେ ସମସ୍ତ ଭକ୍ତଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ପାଇଁ ଜଣେ ଭକ୍ତର ନୀରବ ପ୍ରାର୍ଥନା।

‘ସମସ୍ତେ ଜଗନ୍ନାଥଙ୍କର, ଜଗନ୍ନାଥ ସମସ୍ତଙ୍କର’—ଏହି ଚିରନ୍ତନ ବାଣୀ ବ୍ୟବହାରରେ ପ୍ରତିଫଳିତ ହେବା ହିଁ ଏହି ଆନ୍ଦୋଳନର ଲକ୍ଷ୍ୟ।
