କାଠମାଣ୍ଡୁ: ସଦ୍ୟ ସମାପ୍ତ ନେପାଳ ସାଧାରଣ ନିର୍ବାଚନରେ ୧୪ ଜଣ ମହିଳା ସଂସଦକୁ ନିର୍ବାଚିତ ହୋଇଛନ୍ତି, ଯାହା ମୋଟ ଆସନର ୮.୪୮ ପ୍ରତିଶତ ରହିଛି। ରାପରରୁ ରାଜନେତା ପାଲଟିଥିବା ବଲେନ ଶାହଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆରଏସ୍ପି) ୧୪ଟି ଆସନରୁ ୧୩ଟିରେ ବିଜୟୀ ହୋଇଥିବା ବେଳେ, ନେପାଳୀ କଂଗ୍ରେସ ଗୋଟିଏ ଜିତିଛି। ୨୦୨୨ ମସିହାରେ ପୂର୍ବ ସଂସଦୀୟ ନିର୍ବାଚନ ତୁଳନାରେ ଚଳିତ ଥର ନିମ୍ନ ସଦନରେ ମହିଳାମାନଙ୍କ ପ୍ରତିନିଧିତ୍ୱରେ ଉନ୍ନତି ଘଟିଛି। ସେତେବେଳେ କେବଳ ୯ ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ, ଯାହା ଗୃହର ୫.୪୫ ପ୍ରତିଶତ ଥିଲା। ନେପାଳର ସମ୍ବିଧାନ ନିୟମ ଅନୁଯାୟୀ ସଂସଦରେ ମହିଳାମାନଙ୍କର ଅତି କମରେ ୩୩ ପ୍ରତିଶତ ପ୍ରତିନିଧିତ୍ୱ ରହିବା ଉଚିତ, କିନ୍ତୁ ରାଜନୈତିକ ଦଳଗୁଡ଼ିକ ଏ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ପୂରଣ କରିବାରେ ବିଫଳ ହୋଇଛନ୍ତି। ନେପାଳର ପ୍ରତିନିଧି ସଭାରେ ମୋଟ ୨୭୫ ଆସନ ଅଛି। ପ୍ରତ୍ୟକ୍ଷ ଭୋଟ ମାଧ୍ୟମରେ ୧୬୫ ଜଣ ସଦସ୍ୟ ନିର୍ବାଚିତ ହେଊଥିବାବେଳେ, ଆନୁପାତିକ ପ୍ରତିନିଧିତ୍ୱ ମାଧ୍ୟମରେ ୧୧୦ ଜଣ ନିର୍ବାଚିତ ହୁଅନ୍ତି। ୨୦୦୮ ମସିହାରେ ଅନୁଷ୍ଠିତ ପ୍ରଥମ ସାମ୍ବିଧାନିକ ସଭା ନିର୍ବାଚନରେ ସର୍ବାଧିକ ୩୦ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଥିଲେ, ଯେତେବେଳେ ସିପିଏନ୍-ମାଓବାଦୀ ଏକ ଦଶନ୍ଧି ଧରି ଚାଲିଥିବା ସଶସ୍ତ୍ର ବିଦ୍ରୋହର ଅନ୍ତ ଘଟାଇଥିବା ଶାନ୍ତି ପ୍ରକ୍ରିୟା ମାଧ୍ୟମରେ ମୁଖ୍ୟଧାରାର ରାଜନୀତିରେ ଯୋଗ ଦେବା ପରେ ସର୍ବବୃହତ୍ ଦଳ ଭାବରେ ଉଭା ହୋଇଥିଲେ। ସେହି ସମୟରେ ନିର୍ବାଚିତ ହୋଇଥିବା ଅଧିକାଂଶ ମହିଳା ମାଓବାଦୀ ଗରିଲା ଥିଲେ।
