ଖପ୍ରାଖୋଲ: ଅଞ୍ଚଳରେ ମଙ୍ଗଳବାର ସକାଳୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ହେଲେ ସୁବନ ତାଣ୍ଡି (୭୯)। ତାଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଦଳଦଳି ଗ୍ରାମରେ ହୋଇଥିବା ବେଳେ, ସେ ଗତ ପ୍ରାୟ ୨୩ ବର୍ଷ ଧରି କପସିପାଲି ଗ୍ରାମରେ ଚୟେତୁ ଛୁରାଙ୍କ ଫାର୍ମହାଉସରେ ରହି କାମ କରୁଥିଲେ। ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୯ଟା ସମୟରେ ସେ କପସିପାଲି ବସ୍ତିରୁ ଫାର୍ମହାଉସକୁ ଫେରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ପୋଖରୀ ଆଡ଼ି ଉପରେ ଚାଲୁଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ପୋଖରୀ ପାଣିରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ଘଟଣାଟି ରାତିରେ ଏବଂ ନିଛାଟିଆ ସ୍ଥାନରେ ଘଟିଥିବାରୁ କେହି ଏହା ଦେଖିପାରିନଥିଲେ। ମଙ୍ଗଳବାର ସକାଳେ କିଛି ମହିଳା ଶୌଚ ପାଇଁ ଯାଇଥିବା ବେଳେ ପୋଖରୀ ପାଣିରେ ଅଧା ବୁଡ଼ି ରହିଥିବା ଅବସ୍ଥାରେ ବୃଦ୍ଧଙ୍କୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଖପ୍ରାଖୋଲ ଅଗ୍ନିଶମ ବିଭାଗର ଏସ୍?ଆଇ ଜୟଗୋପାଳ ପଣ୍ଡା ତାଙ୍କ ଟିମ୍ ସହିତ ଏବଂ ଖପ୍ରାଖୋଲ ପୋଲିସର ଏସ୍?ଆଇ ଲିଙ୍ଗରାଜ କିଷାନ ପୋଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଏନେଇ ଖପ୍ରାଖୋଲ ଥାନାରେ ୟୁ.ଡି. କେସ୍ ନଂ ୬/୨୦୨୬ ରୁଜୁ କରି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି ।
