ସତ୍ୟବାଦୀ /ସୁଆଣ୍ଡୋ : ପୁରୀ ଏସପି ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶରେ ଜିଲ୍ଲାରେ ବେଆଇନ ମଦ ବିକ୍ରୟ ଓ ଅବୈଧ କାର୍ଯ୍ୟକଳାପ ଉପରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ପୋଲିସ ପକ୍ଷରୁ ଅଭିଯାନ ଚାଲୁ ରହିଛି। ଜିଲାରେ ବେଆଇନ ମଦ ବିକ୍ରି କରୁଥିବା ଜନୈକ ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସତ୍ୟବାଦୀ ଥାନା ଅନ୍ତର୍ଗତ ରାୟଚକ୍ରଧରପୂର ଗ୍ରାମ ନଳାମୁଣ୍ଡ ସାହି ନିକଟରେ ଥିବା ସରକାରୀ ଜମି ଉପରେ ବେଆଇନ ଭାବେ ଘର ଓ ଦୋକାନ କରି ମଦ ବିକ୍ରୟ କରୁଥିବା ଅଭିଯୋଗରେ ଗୃହ ଉଚ୍ଛେଦ କରାଯାଇଛି। ଏହି ଉଛେଦ କାର୍ଯ୍ୟକ୍ରମକୁ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡା, ଅର୍ପିତା ସେନାପତି ଏବଂ ସତ୍ୟବାଦୀ ଥାନା ଅଧିକାରୀ ସୌମ୍ୟରଞ୍ଜନ ମହାଲିକଙ୍କ ସହିତ ପୋଲିସ ବଳ ଉପସ୍ଥିତି ରହିଥିଲେ। ନଳାମୁଣ୍ଡ ଗ୍ରାମର ପ୍ରଦୀପ କୁମାର ଭୋଇ ସରକାରୀ ଜମିରେ ଅବୈଧ ଘର ଓ ଦୋକାନ କରି ଦୀର୍ଘଦିନ ହେଲା ବେଆଇନ ଭାବରେ ମଦ ବିକ୍ରୟ କରୁଥିବା ନେଇ ଅଭିଯୋଗ ରହିଥିଲା। ସୂଚନା ପାଇବା ପରେ ପୁରୀ ଏସ ପି ଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ପୋଲିସ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ତହସିଲ ପ୍ରଶାସନ ସହ ସମନ୍ୱୟ କରି ସରକାରୀ ଜମି ଉପରେ ହୋଇଥିବା ଅବୈଧ ନିର୍ମାଣକୁ ତୁରନ୍ତ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଛି । ଅଭିଯୁକ୍ତ ପ୍ରଦୀପ କୁମାର ଭୋଇଙ୍କ ବିରୋଧରେ ପୂର୍ବରୁ ବେଆଇନ ମଦ ବିକ୍ରୟ ସମ୍ପର୍କିତ ୬ଟି ମାମଲା ଅଦ୍ଯାବଧି ରହିଛି। ତଥାପି ସେ ଆଇନ ଉଲଙ୍ଘନ କରି ବେଆଇନ କାର୍ଯ୍ୟ କରୁଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ନିଜ ଅଞ୍ଚଳରେ କେହି ବେଆଇନ ଭାବରେ ମଦ ବିକ୍ରୟ କରୁଥିବା କିମ୍ବା ଅନ୍ୟ କୌଣସି ଅବୈଧ କାର୍ଯ୍ୟକଳାପ କରୁଥିବା ସୂଚନା ମିଳିଲେ ତୁରନ୍ତ ପୋଲିସକୁ ଜଣାଇବାକୁ କୁହାଯାଇଛି। ଜିଲାରେ ଶାନ୍ତି, ସୁରକ୍ଷା ଓ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ସଦା ପ୍ରତିବଦ୍ଧ ଅଟେ। ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଏହିପରି ଅଭିଯାନ ଅବ୍ୟାହତ ରହିବ। କୌଣସି ଆପାତକାଳୀନ ସୂଚନା ପାଇଁ ୧୧୨ ନମ୍ବରକୁ ଡାଏଲ କରିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
