ରାଇକିଆ: ଡାଲି ଜାତୀୟ ଫସଲରେ ସମୃଦ୍ଧ ହେବ କନ୍ଧମାଳ ଜିଲ୍ଲା, ବିଲୁପ୍ତ ପ୍ରାୟ ଫସଲର ହେବ ପୁନରୁଦ୍ଧାର, ସଘନ କୃଷି ପ୍ରଣାଳୀରେ ଅନୁପ୍ରାଣିତ ହେବେ କନ୍ଧମାଳ ଜିଲ୍ଲା କୃଷକ ସମୂହ । ଏହି କ୍ରମରେ ଆଜି ରାଇକିଆ ବ୍ଲକ ଅନ୍ତର୍ଗତ କାଣ୍ଡାବାଡ଼ା ଠାରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଆନ୍ତର୍ଜାତୀୟ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡ଼ା)ର ମିଳିତ ଆନୁକୂଲ୍ୟରେ ହରଡ଼ ବିହନ ବଣ୍ଟନ ସହିତ ହରଡ଼ ଚାଷ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ବିହନ ବଣ୍ଟନର ଶୁଭାରମ୍ଭ କରିଥିବାବେଳେ ବ୍ଲକ କୃଷି ଅଧିକାରୀ ସଚିନ୍ଦ୍ର ସେଠୀ, ଗ୍ରାମ୍ୟ କୃଷି ଅଧିକାରୀ ଦୀପକ କୁମାର ନାୟକ ପ୍ରଶିକ୍ଷଣ ଦେଇଥିଲେ । ଇକାର୍ଡ଼ା ଅନୁଷ୍ଠାନର ଜିଲ୍ଲା ସଂଯୋଜକ ଜ୍ଞାନ ପ୍ରକାଶ ବାରିକ ସରକାରଙ୍କ ଏହି ପ୍ରକଳ୍ପ ସମ୍ପର୍କରେ ବିଶଦଭାବେ ଆଲୋଚନା କରିଥିଲେ । ବ୍ଳକ ସଂଯୋଜକ ଅମୂଲ୍ୟ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ପ୍ରସନ୍ନ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଶେଷରେ ୪୦ ଜଣ ଅଗ୍ରଣୀ କୃଷକଙ୍କୁ ଅଧିକ ଅମଳକ୍ଷମ ପ୍ରାମାଣିକୃତ ହରଡ଼ ବିହନ ବଣ୍ଟନ କରାଯାଇଥିଲା । ଇକାର୍ଡ଼ା ଅନୁଷ୍ଠାନର ଏହି ଅଭିନବ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।
