ଭଂଜନଗର: ଗୁରୁବାର ମଧ୍ୟାହ୍ନରେ ଭଂଜନଗର କୋର୍ଟ ଆଗରେ ହତ୍ୟା ଘଟଣାରେ, ସଂପୃକ୍ତ ଅଭିଯୁକ୍ତ କୁ ଗିରଫ କରିଛି ଭଂଜନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ନିକଟସ୍ଥ ପଢାଳ ଗ୍ରାମର ଦିଲ୍ଲୀପ କୁମାର ଜେନା । ଗତକାଲି ଏକ ମାମଲାର ବିଚାରଣ ପାଇଁ ବୁଦୁଲି ଗ୍ରାମର ଅଶୋକ ସ୍ୱାଇଁ କୋର୍ଟରେ ହାଜର ହୋଇ, ଫେରୁଥିବା ବେଳେ କୋର୍ଟ ଆଗରେ ଟାଙ୍ଗିଆ ଧରି ଅତର୍କିତ ଆକ୍ରମଣ କରିଥିଲା, ଦିଲ୍ଲୀପ । ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଉଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପରେ ସଂପୃକ୍ତ ଅଭିଯୁକ୍ତକୁ ଅଟକ ରଖିଥିଲା ପୋଲିସ । ଏନେଇ ମୃତକଙ୍କ ସ୍ତ୍ରୀ ଜ୍ୟୋସ୍ନା ସ୍ୱାଇଁ ଭଂଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ୧୮୫/୨୬ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସନ୍ଧ୍ୟାରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ କରିଥିଲେ । ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ, ଶନିବାର ଦିନ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ସଂକ୍ରାନ୍ତରେ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।
