ନୂଆଦିଲ୍ଲୀ, ୬ା୩: ୟୁନିଅନ୍ ପବ୍ଲିକ୍ ସର୍ଭିସେସ୍ କମିଶନ (ୟୁପିଏସ୍ସି) ଦ୍ୱାରା ଶୁକ୍ରବାର ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ର ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ଚଳିତ ଥର ରାଜସ୍ଥାନର ଡାକ୍ତର ଅନୁଜ ଅଗ୍ନିହୋତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟରେ ତାମିଲନାଡୁର ମହିଳା ଇଞ୍ଜିନିୟର ରାଜେଶ୍ୱରୀ ସୁଭେ ଏମ୍ ରହିଛନ୍ତି। ସେହିପରି ଆକାଂଶ ଧୂଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଭାରତୀୟ ପୋଲିସ ସେବା (ଆଇପିଏସ୍) ଏବଂ ଭାରତୀୟ ବାୟୁସେନା ଏବଂ ଅନ୍ୟାନ୍ୟ ସେବା ପଦବୀର ୧୦୮୭ ପଦବୀ ପାଇଁ ମୋଟ ୯୫୮ ପ୍ରାର୍ଥୀ ଯୋଗ୍ୟତା ଅର୍ଜନ କରିଛନ୍ତି। ମୋଟ ୯୫୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୧୭ ଜଣ ସାଧାରଣ ବର୍ଗର ପ୍ରାର୍ଥୀ ହୋଇଥିବା ବେଳେ ୧୦୪ ଜଣ ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ବର୍ଗ ପ୍ରାର୍ଥୀ, ୩୦୬ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରାର୍ଥୀ ଏବଂ ୭୩ ଜଣ ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀ ବୋଲି ଜଣାପଡ଼ିଛି। ପରୀକ୍ଷା ପ୍ରକ୍ରିୟା ୨୫ ମଇ, ୨୦୨୫ରେ ପ୍ରିଲିମ୍ସ ସହିତ ଆରମ୍ଭ ହୋଇଥିଲା। ମୁଖ୍ୟ ପରୀକ୍ଷା ୨୨ ଅଗଷ୍ଟରୁ ୩୧ ଅଗଷ୍ଟ, ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ପର୍ଯ୍ୟାୟ, ବ୍ୟକ୍ତିତ୍ୱ ପରୀକ୍ଷା ତଥା ସାକ୍ଷାତକାର, ଫେବୃଆରୀ ୨୭, ୨୦୨୬ରେ ଶେଷ ହୋଇଥିଲା। ପୂର୍ବ ଧାରା ଅନୁସାରେ, ସାକ୍ଷାତକାର ଶେଷ ହେବାର ପ୍ରାୟ ଏକ ସପ୍ତାହ ମଧ୍ୟରେ ୟୁପିଏସସି ସାଧାରଣତଃ ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଥାଏ। ଚୂଡ଼ାନ୍ତ ଫଳାଫଳ ସରକାରୀ ୱେବସାଇଟରେ ପିଡିଏଫ୍ ଫର୍ମାଟରେ ପ୍ରକାଶିତ ହୋଇଛି। ଡକ୍ୟୁମେଣ୍ଟରେ ଯୋଗ୍ୟତା କ୍ରମରେ ସୁପାରିଶ କରାଯାଇଥିବା ପ୍ରାର୍ଥୀଙ୍କ ନାମ ଏବଂ ରୋଲ୍ ନମ୍ବର ତାଲିକାଭୁକ୍ତ କରାଯାଇଛି।
