ହିନ୍ଦୋଳ: ହିନ୍ଦୋଳ ବ୍ଳକ୍ ରାସୋଳ ଥାନା ଚିତ୍ତଲପୁର ପଞ୍ଚାୟତ ଅନ୍ତର୍ଗତ ବେଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ଗ୍ରାମର ଦିଲ୍ଲୀପ ବିଶ୍ୱାଳଙ୍କର ପୁତ୍ର ରାଜେନ୍ଦ୍ର ବିଶ୍ୱାଳ (୧୮) ଦୁଇଜଣ ସାଙ୍ଗସହ ମିଶି ଦଣ୍ଡିରୀ ନିକଟସ୍ଥ ସାପୁଆଡ୍ୟାମକୁ ବୁଲିବାକୁ ଯାଇଥିଲେ। ଡ୍ୟାମରେ ଗାଧୋଉଥିବାବେଳେ ରାଜେନ୍ଦ୍ର କୌଣସି କାରଣରୁ ପାଣିରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଲୋକମାନେ ସଙ୍ଗେସଙ୍ଗେ ରାସୋଳ ଦମକଳବାହିନୀକୁ ଜଣାଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ ହିନ୍ଦୋଳ ଉପଖଣ୍ଡ ମେଡିକାଲକୁ ନେଇଥିଲା। ଡ଼ାକ୍ତର ପ୍ରାଥମିକ ଚିକିତ୍ସାପରେ ମୃତ ଘୋଷଣା କରିଥିଲେ। ଫଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ରାସୋଳ ପୁଲିସ୍ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି। ତେବେ ପୁଅ ହଠାତ୍ ମରିଯିବାକୁ ନେଇ ପରିବାରଲୋକେ ସନ୍ଦେହପ୍ରକଟ କରିଛନ୍ତି।
