ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଲାଠୋର ମୁଖ୍ୟ ରାସ୍ତାରେ ଥିବା ରେଲୱେ ଫାଟକ ନିକଟରେ ଜଣେ ଯୁବକ ଟ୍ରେନ ସମ୍ମୁଖରେ ପଡ଼ି ମୃତ୍ୟୁବରଣ କରିଥିବା ଘଟଣା ଅଞ୍ଚଳରେ ଭାରି ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୮:୩୦ଟା ସମୟରେ ଫାଟକ ନିକଟରେ କିଛି ବ୍ୟକ୍ତି ମଦ ଦୋକାନ ପାଖରେ ବସି ମଦପାନ କରୁଥିବା ସହ ପାଟିତୁଣ୍ଡ କରୁଥିଲେ। କିଛି ସମୟ ପରେ ଟଙ୍କପାଣି ଗ୍ରାମର ଶିବ ନାଗ (୪୦)ଙ୍କ ଗୁରୁତର ଭାବେ ଛିଣ୍ଡିଯାଇଥିବା ମୃତଦେହ ଫାଟକଠାରୁ ପ୍ରାୟ ୨୦୦ ମିଟର ଦୂରରେ ରେଲୱେ ଲାଇନ ଉପରେ ପଡ଼ିଥିବାକୁ ସ୍ଥାନୀୟ ଲୋକେ ଦେଖିଥିଲେ। ଘଟଣାରେ ତାଙ୍କ ବାମ ଗୋଡ଼ ଜଙ୍ଘ ଠାରୁ ଛିଣ୍ଡିଯାଇଥିବା ବେଳେ ଡାହାଣ ଗୋଡ଼ର ପାଦ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଡାକି ତାଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବୁଧବାର ରାତି ୯ଟାରୁ ଆଜି ଦ୍ୱିପହର ୧୨ଟା ପର୍ଯ୍ୟନ୍ତ ମୃତଦେହ ଖପ୍ରାଖୋଲ ଡାକ୍ତରଖାନାରେ ପଡ଼ିରହିଥିବା ବେଳେ ହରିଶଙ୍କର ରୋଡ଼ ଜିଆରପି ପକ୍ଷରୁ ବହୁତ ବିଳମ୍ବରେ ଖପ୍ରାଖୋଲ ଡାକ୍ତରଖାନା କୁ ପହଞ୍ଚିଥିବା ଜଣାପଡିଥିଲା , ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ମୃତକ ଶିବ ନାଗ କିଛି ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା କଥା ଚର୍ଚ୍ଚାରେ ରହିଛି। ଗତରାତି କିଛି ଲୋକ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ରେଲୱେ ଲାଇନ ଦିଗକୁ ପଳାଇଥିଲେ ଏବଂ ସେହି ସମୟରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ନେଇ ଲାଠୋର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଘଟଣାର ସତ୍ୟାସତ୍ୟ ନେଇ ଜିଆରପି ପକ୍ଷରୁ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସ୍ଥାନୀୟ ମହଳରେ ଆଶା କରାଯାଉଛି।
