ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଦେଶର ଚାରୋଟି ପ୍ରମୁଖ ଜାତୀୟ ଦୈନିକ ଖବରକାଗଜର ପୂର୍ବତନ ସମ୍ପାଦକ ଓ ରାଜ୍ୟସଭା ସାଂସଦ ଏଚ୍.କେ. ଦୁଆଙ୍କର ବୁଧବାର ଦିନ ଦେହାନ୍ତ ହୋଇଯାଇଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଦୁଆ ଗତ ତିନି ସପ୍ତାହ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗୁରୁବାର ଦିନ ଲୋଧି ରୋଡ୍ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ତାଙ୍କ ପରିବାରରେ ପତ୍ନୀ ଆଦିତି ଏବଂ ପୁଅ ପ୍ରଶାନ୍ତ ଅଛନ୍ତି। ତାଙ୍କ ବିୟୋଗରେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଶୋକ ପ୍ରକାଶ କରି କହିଛି ଯେ ଭାରତୀୟ ରାଜନୀତି ପ୍ରତି ତାଙ୍କର ଗଭୀର ବୁଝାମଣା ଏବଂ ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ପାଇଁ ସେ ବହୁଳ ଭାବରେ ସମ୍ମାନିତ ହୋଇଥିଲେ। ଦୁଆ କେବଳ ଗଣମାଧ୍ୟମ ନୀତିଶାସ୍ତ୍ରର ସର୍ବୋଚ୍ଚ ମୂଲ୍ୟବୋଧକୁ ବଜାୟ ରଖିନଥିଲେ; ବରଂ ଗଣମାଧ୍ୟମ ସ୍ୱାଧୀନତା ଏବଂ ବାକ୍ ସ୍ୱାଧୀନତାର ଜଣେ ପ୍ରବକ୍ତା ମଧ୍ୟ ଥିଲେ। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ନିଜର କ୍ୟାରିୟରରେ ଦୁଆ ଚାରୋଟି ପ୍ରମୁଖ ଭାରତୀୟ ଖବରକାଗଜ ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’, ‘ହିନ୍ଦୁସ୍ତାନ ଟାଇମ୍ସ’, ‘ଦି ଟାଇମ୍ସ ଅଫ୍ ଇଣ୍ଡିଆ’ ଏବଂ ‘ଦି ଟ୍ରିବ୍ୟୁନ୍’ରେ କାର୍ଯ୍ୟ କରିଥିଲେ
