ପୁରୀ: ଭକ୍ତ ପ୍ରିୟ ଜଗନ୍ନାଥ । ଭକ୍ତ ପାଇଁ ରତ୍ନସିଂହାସନ ଛାଡି ଓହ୍ଲାଇ ଆସନ୍ତି ବଡଦାଣ୍ଡକୁ । ଶ୍ରୀଗୁଣ୍ଡିଚାରେ ରଥଟଣା ଯାଇ ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ବିରାଜମାନ କରିଥାନ୍ତି । ବଡଦାଣ୍ଡରେ ନନ୍ଦିଘୋଷ ରଥ ଘର ଘର ନାଦ ଦେଇ ଗଡିଥାଏ । ମହାପ୍ରଭୁ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି । ରଥ ଗୁଣ୍ଡିଚାଘର ନିକଟରେ ଲାଗିଲା ବେଳକୁ ମଧ୍ଯ ଭକ୍ତ ଗହଳି ଜମିଥାଏ । ଶରଧାବାଲିରେ ନବଦିନାତ୍ମକ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଆଡପପଣ୍ଡପ ଦର୍ଶନ ଓ ଆଡପ ଅଭଡା ସେବନ ପାଇଁ ଭକ୍ତ ଭକ୍ତି ଭାବରେ ବ୍ୟାକୁଳ ହୋଇପଡୁଛି । ସଂଧ୍ଯା ଦର୍ଶନ ପାଇ ଭକ୍ତ ଧନ୍ଯ ମନେ କରିଛି । ରାଜ୍ଯ ଭିତରୁ ଓ ରାଜ୍ଯ ବାହାରୁ ଭକ୍ତଙ୍କ ସୁଅ ଛୁଟିଛି କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ।

ଜୟ ଜଗନ୍ନାଥ, କାଳିଆର ଭଜନ, କୀର୍ତ୍ତନ ଓ ହରିବୋଲ ହୁଳୁହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ଭକ୍ତ ପାଇଁ ସେ ଭାବବିନୋଦିଆ । ଚକା ଆଖି ସହ ଭକ୍ତର ଆଖି ମିଶିଲେ ସବୁ ଦୁଃଖ ଦୂର ହୋଇଯାଏ । ଶ୍ରୀମନ୍ଦିରରେ କାଳିଆ ଥିବାବେଳେ ଗହଳିଚହଳି ଲାଗିଥିଲା । ଏବେ ଗୁଣ୍ଡିଚା ମନ୍ଦିରରେ ଗହଳିଚହଳି ଲାଗିଛି । ରଥ ଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ତିନିରଥ ଚାରିପଟେ ସହ ମନ୍ଦିର ଭିତର ଓ ବାହାରେ ଭକ୍ତଙ୍କ ଗହଳି ପରିଲକ୍ଷିତ ହେଉଛି । ବାହୁଡାଦିନ ତିନିରଥ ଶ୍ରୀମନ୍ଦିର ଅଭିମୁଖେ ଆସିବା ପରେ ରଥାରୁଢ ଚାରିପଟେ ଭକ୍ତଙ୍କ ଗହଳି ଲାଗିରହିବ । ଭକ୍ତ କହୁଛି କାଳିଆ ଯୁଆଡେ ଗହଳି ସିଆଡେ ।
