ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଥିବା ଏସ୍ବିଏଲ ଏନ୍ର୍ଜି ଲିମିଟେଡ କମ୍ପାନୀର ଘଟିଥିବା ବିସ୍ଫୋରଣ ମାମଲାରେ ପୋଲିସ କମ୍ପାନୀର ୯ ଜଣ ନିର୍ଦ୍ଦେଶକଙ୍କୁ ସୋମବାର ଗିରଫ କରିଛି। ନାଗପୁରର କଲମେଶ୍ୱର ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଅନୁଯାୟୀ ୨୧ ଜଣ ନିର୍ଦ୍ଦେଶକ ଏବଂ ସେୟାରଧାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ରବିବାର ସକାଳେ ନାଗପୁରର କାଟୋଲ ତହସିଲର ରାଉଲଗାଓଁରେ ଖଣି ଏବଂ ଶିଳ୍ପ ବିସ୍ଫୋରକ ନିର୍ମାତା ଏସ୍ବିଏଲ୍ ଏନର୍ଜି ଲିମିଟେଡର ଡେଟୋନେଟର ପ୍ୟାକିଂ ୟୁନିଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏଥିରେ ଅତି କମରେ ୧୮ ଜଣ ଶ୍ରମିକଙ୍କ ମୃତ୍ୟୁବରଣ କରିଥିବା ବେଳେ ୨୪ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଅଧିକାଂଶ ଗୁରୁତର ଅଛନ୍ତି। ନାଗପୁର ଗ୍ରାମାଞ୍ଚଳ ଏସ୍ପି ଡ. ହର୍ଷ ପୋଦ୍ଦାର କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରେ କମ୍ପାନୀର ସୁରକ୍ଷା ତ୍ରୁଟିଥିବା ଜଣାପଡ଼ିଛି। ରିପୋର୍ଟ ଆଧାରରେ ପୋଲିସ କମ୍ପାନୀ ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ଗିରଫ ହୋଇଥିବା ଅଧିକାରୀମାନଙ୍କୁ ପଚରାଉଚରା କରାଯାଉଛି ଏବଂ ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି। ମୃତଦେହଗୁଡ଼ିକ ଚିହ୍ନଟ କରିବା ପାଇଁ ପରିବାର ସଦସ୍ୟଙ୍କ ନମୁନା ଡିଏନଏ ପରୀକ୍ଷା ପାଇଁ ନିଆଯାଇଛି।
