ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା । ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନ ଛାଡି ଧାଡି ପହଣ୍ଡିରେ ସିଂହଦ୍ୱାର ଚକଡାରେ ଥିବା ତିନିରଥରେ ବିଜେ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଳ୍ପ ଗଡି ରହି ଯାଇଥିଲେ । ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ ଥିବା ବେଳେ ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ମରଚିକୋଟ ଛକରେ ଅଟକି ରହିଥିଲେ । ଶୁକ୍ରବାର ତିନିରଥରେ ନୀତିକାନ୍ତି ଶେଷ ହେବା ପରେ ରଥଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିଥିଲା । ଶନିବାର ଦିନ ରଥ ଉପରେ ସକାଳ ସାଢେ ୭ଟାରେ ମଙ୍ଗଳଆଳତି, ୧୦ଟାରେ ସକାଳଧୂପ, ୧୨ଟାରେ ତିନିରଥର ମହାସ୍ନାନ, ୧ଟା ୩୫ରେ ମଧ୍ଯାହ୍ନ ଧୂପ ଶେଷ ହୋଇଥିଲା । ୨ଟା୧୫ ସୁଦ୍ଧା ସଂଧ୍ୟା ଆଳତି ଶେଷ ହୋଇଥିଲା । ସଂଧ୍ୟା ୭ଟା ୩୫ ସୁଦ୍ଧା ତିନିରଥରେ ଚାରମାଳ ବନ୍ଧା ଶେଷ ହୋଇଥିଲା । ତିନିରଥର ୭ଟା ୫୦ ସୁଦ୍ଧା ପୁଷ୍ପାଞ୍ଜଳି ଶେଷ ହୋଇଥିଲା । ପ୍ରଥମେ ସୁଦର୍ଶନ ମହାପ୍ରଭୁଙ୍କ ଶୂନ୍ଯ ପହଣ୍ଡି ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ । ପରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା । ଦେବୀ ମା ସୁଭଦ୍ରାଙ୍କ ପହଣ୍ଡି ପରେ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମ୍ପନ୍ନ ହୋଇଥିଲା । ପହଣ୍ଡି ସମୟରେ ଘଣ୍ଟ, ଘଣ୍ଟା ମୃଦଙ୍ଗ ଓ ବିଜେ କାହାଳୀରେ ପ୍ରକମ୍ପିତ ହୋଇଥିଲା ଶ୍ରୀଗୁଣ୍ଡିଚ ମନ୍ଦିର ପରିସର । ଘଣ୍ଟୁଆଙ୍କ ଘଣ୍ଟ ନାଦ ବେଶ ଆକର୍ଷଣ ହୋଇଥିଲା । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ ଟାହିଆ ଆଗକୁ ପଛକୁ ହଲିବା ଦୃଶ୍ଯରେ ଭକ୍ତ ମାନେ ଭକ୍ତିର ସହ ଭାବବିହ୍ୱଳ ହୋଇପଡିଥିଲେ । ଜୟ ଜଗନ୍ନାଥ ଧ୍ୱନି, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସର । ହଜାର ହଜାର ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ପହଣ୍ଡି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପରେ ବିଜେ କରିଥିଲେ । ରବିବାର ଅପରାହ୍ନରେ ଆଡପ ଅଭଡା ପାଇବେ ଭକ୍ତ । ଶ୍ରୀମନ୍ଦିର ପ୍ରଶାସନ, ରାଜ୍ଯ ଓ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଥିଲା । ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନ ଉପସ୍ଥିତ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରିଥିଲେ ।
