ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ମା’ ସୁଭଦ୍ରା ଆଜି ପବିତ୍ର ପହଣ୍ଡି ବିଜେ ମାଧ୍ୟମରେ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରୁଛନ୍ତି। ଏହି ପବିତ୍ର ଓ ଭାବବିହ୍ୱଳ ଦିନରେ ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୦୯ତମ ଦିନରେ ପହଞ୍ଚିଛି। ଗତ ୧୦୮ ଦିନ ଧରି ଅବିରତ ଚାଲିଥିବା ଏହି ନୀରବ ପଦଯାତ୍ରା ଆଜି ମହାପ୍ରଭୁଙ୍କ ପହଣ୍ଡି ବିଜେର ପବିତ୍ର ଅବସରରେ ଅଧିକ ଆଧ୍ୟାତ୍ମିକ ମାହାତ୍ମ୍ୟ ଲାଭ କରିଛି। ଭକ୍ତଙ୍କ ବିଶ୍ୱାସ— ଯେପରି ମହାପ୍ରଭୁ ସ୍ୱୟଂ ଭକ୍ତଙ୍କ ମଧ୍ୟକୁ ଆସନ୍ତି, ସେହିପରି ତାଙ୍କ ଦ୍ୱାରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କ ପାଇଁ ମଧ୍ୟ ସମାନ ଅଧିକାର ଓ ସମ୍ମାନ ସୁନିଶ୍ଚିତ ହେଉ। ଆଜିର ନୀରବ ପଦଯାତ୍ରାରେ ଯୋଗଦେଇଥିବା ପଦଯାତ୍ରୀମାନେ ମହାପ୍ରଭୁଙ୍କ ଚରଣରେ ଗୋଟିଏ ମାତ୍ର ପ୍ରାର୍ଥନା ସମର୍ପଣ କରିଛନ୍ତି— “ହେ କାଳିଆ ସାଆନ୍ତ, ତୁମେ ସମସ୍ତଙ୍କ ଜଗନ୍ନାଥ। ତୁମ ଦ୍ୱାରରେ କେହି ଅବହେଳିତ ନହେଉ, କେହି ବଞ୍ଚିତ ନହେଉ। ସମସ୍ତ ଭକ୍ତଙ୍କୁ ସମାନ ସ୍ନେହ, ସମାନ ସମ୍ମାନ ଓ ସମାନ ଅଧିକାର ପ୍ରଦାନ କର।” ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ହେଉଛି ସମତା, ସାର୍ବଜନୀନତା ଓ ମାନବିକତା। ସେହି ଆଦର୍ଶକୁ ସାମ୍ନାରେ ରଖି ଚାଲିଥିବା

ଏହି ନୀରବ ପଦଯାତ୍ରା କୌଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠାନ ବିରୋଧରେ ନୁହେଁ; ବରଂ ଭକ୍ତଙ୍କ ସମାନ ଅଧିକାର, ସମ୍ମାନ ଓ ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶର ସୁରକ୍ଷା ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ପ୍ରୟାସ।ଆଜିର ପଦଯାତ୍ରାରେ ସର୍ବଶ୍ରୀ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ଶିବସୁନ୍ଦର ମିଶ୍ର, ସୁକାନ୍ତ ପଣ୍ଡା, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ କୁମାର ସାହୁ, ମମତା ସ୍ୱାଇଁ, ନିହାରିକା ତ୍ରିପାଠୀ, ମମତା ଦାସ, ଅରୁଣା ପଟ୍ଟନାୟକ, ବିପାଶୁ ସିଂହ, କଣ୍ଢେଇ ପ୍ରଧାନ, ରିତିକା ପ୍ରଧାନ, ସିପା ସାହୁ, ଶିଶିରକାନ୍ତ ଶତପଥୀ, ଯାଦବାନନ୍ଦ ରାୟ, ନୃସିଂହନାଥ ନାୟକ, କାହ୍ନୁଚରଣ ପ୍ରଧାନ, ମନୋରଞ୍ଜନ ରଣସିଂହ, ପ୍ରଦୀପ୍ତ କୁମାର ମହାନ୍ତି, ସନ୍ତୋଷ କୁମାର ସେନାପତି ପ୍ରମୁଖ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀ ସହରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ପଦଯାତ୍ରା ଅବ୍ୟାହତ ରହିବ। ଏହା କୌଣସି ପ୍ରତିବାଦର ସ୍ୱର ନୁହେଁ, ବରଂ ମହାପ୍ରଭୁଙ୍କ ଚରଣରେ ଜଣେ ଭକ୍ତର ନୀରବ ନିବେଦନ। ମହାପ୍ରଭୁଙ୍କ ପହଣ୍ଡି ବିଜେ ସହ ଆଜିର ଦିନ ଭକ୍ତି, ଆସ୍ଥା ଓ ସମତାର ଏକ ଅପୂର୍ବ ସଙ୍ଗମରେ ପରିଣତ ହୋଇଛି। ଏହି ପବିତ୍ର ଭାବନାକୁ ହୃଦୟରେ ଧାରଣ କରି ୧୦୯ ଦିନର ନୀରବ ପଦଯାତ୍ରା ଆଜି ମଧ୍ୟ ନିଜର ସଂକଳ୍ପକୁ ଅବିଚଳ ରଖି ଆଗେଇ ଚାଲିଛି।
