ଭୁବନେଶ୍ୱର/ପାରାଦୀପ: କାମ୍ବୋଡିଆରେ ଜାତୀୟ ଅଲିମ୍ପିକ କମିଟି ଦ୍ୱାରା ମାନ୍ୟତା ପ୍ରାପ୍ତ ଆନ୍ତର୍ଜାତୀୟ କୁନ୍ ଖେମର୍ ଫେଡେରେସନ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ୬ଷ୍ଠ କୁନ୍ ।ଖେମର୍ ବିଶ୍ୱ ଚମ୍ପିୟନସିପରେ ଭାରତ ର କ୍ରୀଡ଼ାବିତ ପ୍ରଶିକ୍ଷକ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ହିମାଂଶୁ ଭୂଷଣ ଦାସ ଆନ୍ତର୍ଜାତୀୟ ରେଫେରୀ ଭାବେ ଭାରତ ପାଇଁ ଗର୍ବ ଆଣିଦେଇଥିବା ବେଳେ ୱେଙ୍କଟାଚଳମ୍ ମହାଲିଙ୍ଗମ୍ ଭାରତର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟଭାର ନିର୍ବାହ କରିଥିଲେ ଏବଂ ଓଡ଼ିଶା ତଥା ପାରାଦୀପ ଅଞ୍ଚଳର ଆଦିତ୍ୟ ଗୌରବ ତ୍ରିପାଠୀ ସହାୟକ ପ୍ରଶିକ୍ଷକ ଭାବେ ଚମ୍ପିୟନସିପରେ ଦାୟିତ୍ୱ ତୁଲାଇଥିଲେ । ତାଙ୍କର ସାମୁହିକ ଉପସ୍ଥିତି ବିଶ୍ୱ କୁନ୍ ଖେମର୍ ମାର୍ଶାଲ୍ ଆର୍ଟ୍ସ ମଞ୍ଚରେ ଭାରତର ବୃଦ୍ଧିଶୀଳ ସଂପୃକ୍ତି ଓ ପରିଚିତକୁ ପ୍ରକାଶ କରିଥିଲା।ଦେଶ ପାଇଁ ଅଧିକ ଗର୍ବର ବିଷୟ ହେଲା, ଦୁଇ ଭାରତୀୟ କ୍ରୀଡ଼ାବିତ ରିଶାନ୍ସଖେମ୍ ପି. ଲିପୋନ୍ ଓ ଡାମାଙ୍ଗପୁରା ଏଲ୍. ମାଉଲୋଙ୍ଗ ଉତ୍କୃଷ୍ଟ ପ୍ରଦର୍ଶନ କରି ପ୍ରତ୍ୟେକେ ଗୋଟିଏ କରି ବ୍ରୋଞ୍ଜ ପଦକ ଜିତିଥିଲେ। ତାଙ୍କର ଏହି ସଫଳତା ଆନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ଯୋଧ୍ୟାମାନଙ୍କର ଉନ୍ନତ ମାନକୁ ପ୍ରଦର୍ଶିତ କରିଥିଲା। ଏହି ଚମ୍ପିୟନସିପରେ ବିଶ୍ୱର ବିଭିନ୍ନ ଦେଶର ଶ୍ରେଷ୍ଠ କ୍ରୀଡ଼ାବିତ, ପ୍ରଶିକ୍ଷକ ଓ ପ୍ରାଯୋଗିକ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କାମ୍ବୋଡିଆର ପ୍ରେଆହ୍ ସିହାନୁକ୍ ପ୍ରାନ୍ତରେ ଆୟୋଜିତ ଏହି ବିଶ୍ୱ ପ୍ରତିଯୋଗିତାରେ ଅଧିକ ସଂଖ୍ୟକ ଖେଳାଳି ଅଂଶଗ୍ରହଣ କରିବାକୁ ଯୋଜନା ଥିବା ବେଳେ ଥାଇଲାଣ୍ଡ ଓ କାମ୍ବୋଡିଆ ସୀମା ବିବାଦ ଯୁଦ୍ଧ ଯୋଗୁ ୨୦୨୫ ଶେଷଭାଗରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପରେ ୨୦୨୬ ଆରମ୍ଭରେ ପୁନଃନିର୍ଦ୍ଧାରିତ ହୋଇଥିଲା। ଚଳିତ ବର୍ଷ ୬ଷ୍ଠ ଚମ୍ପିୟନସିପରେ କାମ୍ବୋଡିଆ, ଭାରତ, ଯୁକ୍ତରାଷ୍ଟ୍ର ଆମେରିକାର, ଚୀନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ହଂକଙ୍ଗ, ଭିଏତନାମ୍, ଇଣ୍ଡୋନେସିଆ, ସ୍ପେନ୍, ଫିଲିପିନ୍ସ, ଇରାନ୍, ଆଫଗାନିସ୍ତାନ୍, ମାଲେସିଆ, ଲାଓସ୍, ନେପାଳ ଓ ମୌରିଟାନିଆ ସହିତ ୩୨ ଟି ଦେଶର କ୍ରୀଡ଼ାବିତ ମାନେ ଅଂଶଗ୍ରହଣ କରିଥିଲେ, ଯାହା ସଫଳ ବିଶ୍ୱସ୍ତରୀୟ କ୍ରୀଡ଼ା ଆୟୋଜନରେ ପରିଣତ କରିଥିଲା। ତେବେ ଏହି ସମ୍ମାନଜନକ ବିଶ୍ୱ ପ୍ରତିଯୋଗିତାରେ ଭାରତୀୟ ଅଧିକାରୀ ଓ କ୍ରୀଡ଼ାବିତ ମାନଙ୍କର ଉପସ୍ଥିତି ଓ ସଫଳତା ପାରମ୍ପରିକ ଯୁଦ୍ଧ କଳାର ପ୍ରଚାର ଓ ଉନ୍ନୟନ ପାଇଁ ଚାଲୁଥିବା ଅବିରତ ପ୍ରୟାସକୁ ପ୍ରତିଫଳିତ କରିବା ସହ ଆନ୍ତର୍ଜାତୀୟ ମାର୍ଶାଲ୍ ଆର୍ଟ୍ସ ଚମ୍ପିୟନସିପରେ ଭାରତର ପ୍ରତିନିଧିତ୍ୱକୁ ଆହୁରି ସୁଦୃଢ କରିଛି।
