କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିଶାନ୍ତ ବାର ପାଇଁ ବର୍ତ୍ତମାନ କେସିଙ୍ଗା ଅଶାନ୍ତ ହୋଇପଡ଼ିଛି। ଦୀର୍ଘ ଏକମାସ ଧରି ଉପୁଜିଥିବା ସମସ୍ୟା ଆଜି ଯାଏଁ ସମାଧାନ ହୋଇନଥିବାରୁ ଦିନକୁଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ଆଗରୁ ଏନଓସି ଦେଇଥିବା ଏନଏସି ଅଞ୍ଚଳବାସୀଙ୍କ ଭାବାବେଗକୁ ଦେଖି ଏନଓସି ବାତିଲ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଶାନ୍ତ ବାର ସ୍ଥାନାନ୍ତରଣ ବାତିଲ ଆଦେଶ ନ ଆସିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟ ରୁ ଆରମ୍ଭ କରି କେସିଙ୍ଗା ପୋଲିସ ଷ୍ଟେସନରେ ଅଭିଯୋଗ ପୁଣି ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ ସହ ଉପ ଜିଲ୍ଲାପାଳଙ୍କୁ ସମସ୍ୟା ଉପରେ ଅବଗତ କରାଯାଇ କିପରି ଓଡ଼ିଶା ଅବକାରୀ ନିୟମ -୨୦୧୭ର ଉଲ୍ଲଙ୍ଘନ ନିଶାନ୍ତ ବାର ମାଲିକ କରୁଛନ୍ତି ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ନିୟମ ଅନୁସାରେ କୌଣସି ମଦ ଦୋକାନ କିମ୍ବା ବାର ଜନ ବସତି, ସ୍କୁଲ, କିମ୍ବା ମନ୍ଦିର ପାଖରେ ହୋଇ ପାରିବ ନାହିଁ ବୋଲି ଉଲ୍ଲେଖ ରହିଥିଲେ ମଧ୍ୟ ସବୁ ପ୍ରକାର ବିରୋଧକୁ ଖାତିର ନକରି ନିଶାନ୍ତ ବାର ମାଲିକ ଜନସାଧାରଙ୍କ ବିରୋଧ ସ୍ଥାନରେ ତିନୋଟି ଘର ଭଡ଼ା ସୂତ୍ରରେ ନେଇ କିଭଳି ନିଜର ବ୍ୟବସାୟୀକ ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭକରୁଛି ତାହା କେସିଙ୍ଗାବାସୀଙ୍କୁ ଚକିତ କରୁଛି। ଗତକାଲି ୱାର୍ଡର ପ୍ରାୟ ୩୦ ଜଣ ମହିଳାଙ୍କ ସମେତ ସିଟିଜନ ଫୋରମର ଅନେକ ସଦସ୍ୟ ଉକ୍ତ ବିଷୟରେ ଆଲୋଚନା ମାଧ୍ୟମରେ ବିବାଦ ସମାଧାନ ପାଇଁ ବାର ମାଲିକଙ୍କୁ
ଡାକିଥିଲେ। ଏହି ବିବାଦୀୟ ସ୍ଥାନରେ ବାର ନଖୋଲି ଅନ୍ୟସ୍ଥାନରେ ବାର ଖୋଲିବା ପାଇଁ କହିଥିଲେ ମଧ୍ୟ ବାର ମାଲିକ ଅସହମତି ପ୍ରକାଶ କରିଥିଲେ। ଶେଷରେ ଉପସ୍ଥିତ ମହିଳାମାନେ ବାର ପାଇଁ ଭଡ଼ା ନେଇଥିବା ତିନୋଟି ଘରକୁ ତାଲା ଦେଇ କେସିଙ୍ଗା ଥାନାକୁ ଯାଇ ପୁଣିଥରେ ବାର ନାମରେ ଲିଖିତ ଅଭିଯୋଗ କରିଥିଲେ। ଏଥିସହିତ ତାଲାର ଚାବି ପୋଲିସ ଷ୍ଟେସନରେ ଜମା ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସଡିପିଓ ସନ୍ଦୀପ ମାଝୀଙ୍କୁ ଅନୁରୋଧ କରିଥିଲେ।
