ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଗୁରୁବାର ଜୁଲାଇ ୧୬ ତାରିଖ ରାତି ପାହିଲେ ମହାପ୍ରଭୁଙ୍କ ମାନବୀୟଲୀଳା । ରତ୍ନବେଦିରୁ ଜନ୍ମ ବେଦିକୁ ଘର ଘର ନାଦ ନାଦରେ ଗଡିବ ତିନିରଥ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଅକ୍ଷୟ ତୃତୀୟା ଠାରୁ ନବଯୌବନ ବେଶ ପର୍ଯ୍ୟନ୍ତ ରଥ ନିର୍ମାଣ ହୋଇଥାଏ । ରଥ ନିର୍ମାଣ ସମୟରେ ଗୋଟିଏ ବଡ କାମ ସରିଲେ ଭୋଇ ସେବକ ମାନେ ହରିବୋଲ ପକାଇଥାନ୍ତି । ଏହିପରି ୯ଥର ହରିବୋଲ ପଡିଥାଏ । ତିନିରଥରେ ୭୭ ଜଣ ଭୋଇ ସେବକ କାର୍ଯ୍ଯ କରୁଛନ୍ତି । ତାଳଧ୍ୱଜ ରଥରେ ୨୬ ଜଣ,ନନ୍ଦିଘୋଷ ରଥରେ ୨୬ ଜଣ ଓ ଦେବଦଳନ ରଥରେ ୨୫ ଜଣ ସେବକ କାର୍ଯ୍ଯ କରନ୍ତି । ଭୋଇ ସର୍ଦ୍ଦାର ଭାବେ ରବି ଭୋଇ କାର୍ଯ୍ଯ କରୁଛନ୍ତି । ନନ୍ଦିଘୋଷ ରଥର ମୁଖ୍ଯ ଭୋଇ କାର୍ତ୍ତିକ ଭୋଇ ଓ ବିଷ୍ଣୁ ଭୋଇ । ତାଳଧ୍ୱଜ ରଥର ଦ୍ରୁବ ଭୋଇ ଓ ତିନି ଭୋଇ । ଦେବଦଳନ ରଥର ଆଲୋକ ଭୋଇ ଓ ରବି ଭୋଇ ଦାୟିତ୍ୱ ତୁଲାଉଛନ୍ତି । ଶ୍ରୀକ୍ଷେତ୍ର ଭଉଁରୀ ଦିନ ଅଖଚକ ସଂଯୋଗ ସମୟରେ ପ୍ରଥମ ହରିବୋଲ ପଡିଥିଲା ସେସିପରି ପାଞ୍ଚ ଦଣ୍ଡା ଉଠିବା ସମୟରେ ଦ୍ୱିତୀୟ ହରିବୋଲ ପଡିଥିଲା । ସ୍ନାନପୂର୍ଣ୍ଣିମା ଦିନ ଚାରି ନାହାକ ଉଠିବା ବେଳେ ତୃତୀୟ ହରିବୋଲ ପଡିଥିଲା

। ପ୍ରଥମ ଭୂଇଁ ୬ କାଠ ଉଠିବା ପରେ ଚତୁର୍ଥ ହରିବୋଲ ପଡିଥିଲା । ବଡପୋଟଳ ଉଠିବା ଦିନ ପଞ୍ଚମ ହରିବୋଲ ପଡିଥିଲା । ପାରାଭାଡି ଓ ଖପୁରି ଉଠିବା ଦିନ ଷଷ୍ଠ ହରିବୋଲ ପଡିଥିଲା । ଶୁଆ, ଅଁଳା ଓ କଳସ ରଥ ଉପରକୁ ଉଠିବା ପରେ ସପ୍ତମ ହରିବୋଲ ପଡିଥିଲା । ୧୨ ଟି ଦୁଆରବେଢା ଉଠିବା ପରେ ଅଷ୍ଟମ ହରିବୋଲ ପଡିଥିଲା । ଆଜ୍ଞାମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାରକୁ ଟଣା ଯିବା ସମୟରେ ନବମ ହରିବୋଲ ପକାଇ ରଥକୁ ମୁଣ୍ଡିଆ ମାରିଥିଲେ । ଭୋଇ ସେବକ ମାନେ ରଥଖଳାରେ ପ୍ରମୁଖ କାମ କରିଥାନ୍ତି । ରଥଚାଳି ନିର୍ମାଣ, କରତି ଚାଳି, ଦୋଳବେଦି କୋଣରେ କମାର ଚାଳି ଭୋଇ ସେବକ ମାନେ ନିର୍ମାଣ କରିଥାନ୍ତି । ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉଙ୍କ ପହଣ୍ଡି ପାଇଁ ତିନିରଥରେ ଚାରମାଳ ବାନ୍ଧି ଥାଆନ୍ତି । ରଥ ଉପରକୁ ୧୨ଟି ଘୋଢା, ୬ଟି ସାରଥୀ ଭୋଇ ସେବକ ମାନେ ଉଠାଇଥାଆନ୍ତି । ଗଜପତିଙ୍କ ଛେରାପହଁରା ପରେ ରଥର ଚାରମାଳ ଖୋଲିଥାଆନ୍ତି । ରଥ ଚାଲିବା ସମୟରେ ଫାଳି ଓ ମୋଡ ଦଉଡି ପକାଇ ରଥ ନିୟନ୍ତ୍ରଣ କରିଥାଆନ୍ତି । ରଥ ଭାଙ୍ଗିବା ସମୟରେ ମଧ୍ଯ ଭୋଇ ସେବକ ସେବା ଯୋଗାଇ ଥାଆନ୍ତି । ନିଷ୍ଠା ଭକ୍ତିର ସହ ମହାପ୍ରଭୁଙ୍କ ସେବା କରି ନିଜକୁ ଧନ୍ଯ ମନେ କରନ୍ତି ବୋଲି ଭୋଇ ସର୍ଦ୍ଦାର କୁହନ୍ତି ।
