ବାରିପଦା /କରଞ୍ଜିଆ: କରଞ୍ଜିଆ ଏନ୍ଏସିର ୨ ନମ୍ବର ୱାର୍ଡ ଅନ୍ତର୍ଗତ କରଡିଆସ୍ଥିତ ବ୍ରହ୍ମେଶ୍ୱର ମହାଦେବ ମନ୍ଦିରରେ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଭକ୍ତମାନଙ୍କ ଦାନ ଲୁଟି ନେଇଥିବା ଘଟଣା ସୋମବାର ସକାଳେ ଜଣାପଡ଼ିଛି। ମନ୍ଦିର ପରିସରରେ ସିସିଟିଭି କ୍ୟାମେରା ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ କବାଟ ତାଡ଼ି ଭିତରକୁ ପ୍ରବେଶ କରି ଦାନ ହୁଣ୍ଡି ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ଚୋରି କରିଥିବା ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ଏହି ଚୋରିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୋମବାର ଭୋର ସକାଳେ ଭକ୍ତମାନେ ପୂଜା କରିବାକୁ ମନ୍ଦିରକୁ ଆସି ମୁଖ୍ୟ କବାଟ ଭଙ୍ଗା ଏବଂ ହୁଣ୍ଡି ଭାଙ୍ଗିଥିବା ଦେଖି ଚକିତ ହୋଇଥିଲେ। ପରେ ସେମାନେ ଗାଁର ବିଶିଷ୍ଟ ବ୍ୟକ୍ତି ସୁବ୍ରତ କୁମାର ରାଉତ, ଦେବାନନ୍ଦ ପୋଥାଳ ଓ ଆଇନଜୀବୀ ବାବି ପୃଷ୍ଟିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ସେମାନଙ୍କ ସୂଚନା ପରେ କରଞ୍ଜିଆ ଥାନାରେ ଅଭିଯୋଗ କରାଯାଇଥିଲା। ଖବର ପାଇ କରଞ୍ଜିଆ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚୋରଙ୍କ ସୁରାକ ପାଇବା ଉଦ୍ଦେଶ୍ୟରେ ନିକଟରେ ଥିବା ସିସି ଟିଭି ଫୁଟେଜ ଗୁଡ଼ିକୁ ଯାଞ୍ଚ କରାଯାଇଛି। ପ୍ରାଥମିକ ତଦନ୍ତରୁ ଦୁର୍ବୃତ୍ତମାନେ ମନ୍ଦିରର ପଛପଟ ଦେଇ ପ୍ରବେଶ କରି ଚୋରି କରିଥିବା ସନ୍ଦେହ କରାଯାଉଛି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଥିବାବେଳେ ଚୋରଙ୍କୁ ଶୀଘ୍ର ଠାବ କରାଯିବ ବୋଲି ଆଶା ପ୍ରକାଶ ପାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ମନ୍ଦିରଗୁଡ଼ିକରେ ସିସିଟିଭି କ୍ୟାମେରା ସ୍ଥାପନ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
