ପୁରୀ: ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା ।ଜୁଲାଇ ୧୬ ତାରିଖ ଗୁରୁବାର ପବିତ୍ର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ । ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ବଡ଼ଭାଇ ବଡ ଠାକୁର ଶ୍ରୀବଳଭଦ୍ର ମହାପ୍ରଭୁ , ସାନଭାଇ କାଳିଆ ସାଆନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ଭଉଣୀ ଦେବୀ ମା ସୁଭଦ୍ରାଙ୍କୁ ବଡ଼ଦାଣ୍ଡକୁ ସ୍ୱାଗତ କରିବା ପାଇଁ ପବିତ୍ର ବଡ଼ଦାଣ୍ଡ ସଜେଇ ହେବାରେ ଲାଗିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ସଜେଇ ହେଲାଣି ଶ୍ରୀମନ୍ଦିର ସମେତ ଶ୍ରୀଗୁଣ୍ଡିଚା ମନ୍ଦିର । ଝଲସିତ ହେଲାଣି ଶ୍ରୀକ୍ଷେତ୍ର । ବଡଦାଣ୍ଡର ଦୁଇପାର୍ଶ୍ୱ କୋଠା ଆଇଭେରି ରଙ୍ଗରେ ରଙ୍ଗିତ । ବଡଦାଣ୍ଡ ସମେତ ଶ୍ରୀକ୍ଷେତ୍ରର ପ୍ରମୁଖ ସ୍ଥାନରେ ସିସିଟିଭି କ୍ଯାମେରା । ବଡଦାଣ୍ଡ ସମେତ ଶ୍ରୀକ୍ଷେତ୍ରର ଛକ ମାନଙ୍କରେ ଉଜ୍ଜ୍ୱଳ ଆଲୋକରେ ଆଲୋକିତ ହୋଇଛି । ବଡଦାଣ୍ଡର ଦୁଇ ପାର୍ଶ୍ୱ ଖୁଣ୍ଟରେ କାହାଳୀରେ ଶୁଭୁଛି ମହାପ୍ରଭୁଙ୍କ ଭଜନ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ରଙ୍ଗ ସହ ଚାରି ଦୁଆର ଫୁଲରେ ସଜ୍ଜିତ ହୋଇଛି । ଶ୍ରୀମନ୍ଦିର ସମ୍ମୁଖ ରଙ୍ଗୀନ ଝୋଟି ଚିତା ଓ ଫୁଲରେ ଝଲସୁଛି । ସେହିପରି ଶ୍ରୀଗୁଣ୍ଡିଚା

ମନ୍ଦିର ସମ୍ମୁଖ ରଙ୍ଗୀନ ଝୋଟି ଚିତାରେ ଚକମକ କରୁଛି । ବରଗଛ ମାନଙ୍କରେ ପିପିଲିର ଝୁଲା ଫୁଲ ଚାନ୍ଦୁଆ ଝୁଲସିତ ହେଉଛି । ବଡ ବଡ ଖୁଣ୍ଟିରେ ହାଇମାକ୍ସ ଲାଇଟରେ ଆଲୋକିତ ଗୁଣ୍ଡିଚାଘର । ବଡଦାଣ୍ଡ, ଭିଆଇପି ରାସ୍ତା, ସମୁଦ୍ରକୂଳ ରାସ୍ତା, ଷ୍ଟର୍ଲିଙ୍ଗ ରାସ୍ତା ଚକାଚକ ହୋଇଛି । ଭକ୍ତ ମାନଙ୍କ ଦର୍ଶନ, ସୁରକ୍ଷା ଓ ସୁରକ୍ଷିତ ସ୍ନାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଜ୍ଯ ଓ ଜିଲ୍ଲା ପ୍ରଶାସନ, ରାଜ୍ଯ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ସୁଖଦ ଅନୁଭବ ନେଇ ଭକ୍ତଙ୍କ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଞ୍ଚଳ ହୋଇଉଠିଛି । ଶ୍ରୀକ୍ଷେତ୍ର ଏବେ ଆଧ୍ୟାତ୍ମିକ ଭାବାବେଗ ଓ ଭକ୍ତିର ମାହୋଲ ସୃଷ୍ଟି ହୋଇଛି । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଭଜନ କୀର୍ତ୍ତନ ଭାବବିହ୍ୱଳ ଭକ୍ତ । ସାଧୁସନ୍ଥଙ୍କ ସମେତ ରାଜ୍ୟ ବାହାର ଓ ଭିତରୁ ଭକ୍ତଙ୍କ ସୁଅ ଛୁଟିଲାଣି । କାଳିଆ ସାଆନ୍ତଙ୍କ ଭକ୍ତି ଭାବରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ଶ୍ରୀମନ୍ଦିର ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ ଦେଖି କହୁଛି ମହାପ୍ରଭୁଙ୍କ ଯାତ ପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର ।ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଆଖିରେ ରଖି ପ୍ରଶାସନ ଓ ସେବାୟତମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି।
