ଖପ୍ରାଖୋଲ: ବେଆଇନ ନିଶା କାରବାର ବିରୋଧରେ ଖପ୍ରାଖୋଲ ପୋଲିସର ଲଗାତାର କଡ଼ା ଅଭିଯାନ ଜାରି ରହିଛି। ଥାନା ଆଇଆଇସି ନରେନ୍ଦ୍ର ଛତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ପୁଣି ଏକ ସଫଳ ଚଢ଼ାଉ କରାଯାଇ ହରିଶଙ୍କର ଛକ ନିକଟରୁ ବିପୁଳ ପରିମାଣର ୧୩୦ ବୋତଲ ଏସକଫ କଫ ସିରପ ଜବତ କରାଯିବା ସହ ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ସଫଳତା ନିଶା କାରବାର ବିରୋଧରେ ଖପ୍ରାଖୋଲ ପୋଲିସର ଦୃଢ଼ ପଦକ୍ଷେପ ଓ ସକ୍ରିୟ କାର୍ଯ୍ୟଶୈଳୀକୁ ପୁଣିଥରେ ପ୍ରମାଣିତ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଦୈନନ୍ଦିନ ପେଟ୍ରୋଲିଂ ସମୟରେ ଆଇଆଇସି ନରେନ୍ଦ୍ର ଛତ୍ର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ ଯେ, ବେଲପଡ଼ା ପଟୁ ଏକ ହିରୋ ସ୍ପେ୍ଲଣ୍ଡର(ଓଡ଼ି -୧୭-ଜେ – ୮୯୦୬) ମୋଟରସାଇକେଲରେ ବହୁ ପରିମାଣର ଏସକଫ କଫ ସିରପ ବେଆଇନ ଭାବେ ପରିବହନ କରାଯାଉଛି ଏବଂ ଅନ୍ୟ ଏକ ହୋଣ୍ଡା ଶାଇନ୍ (ଓଡ଼ି-୦୩-କ୍ୟୁ-୬୭୪୮) ମୋଟରସାଇକେଲରେ ଦୁଇଜଣ ସହଯୋଗୀ ଏସ୍କର୍ଟ କରୁଛନ୍ତି। ସୂଚନା ମିଳିବା ପରେ ଆଇଆଇସି ଶ୍ରୀ ଛତ୍ର, ଏଏସଆଇ ନବୀନ କୁମାର ଭୋଇ, କନଷ୍ଟେବଳ ଭୋଲା ଶଙ୍କର ଦେହିଲା, ବାବୁଲାଲ ମଲ୍ଲିକ, ବନମାଳୀ ଗାଡ଼ବା, ହୋମଗାର୍ଡ ଧ୍ରୁବ କୁମ୍ଭାର ଓ ଡ୍ରାଇଭର ନରେଶ ବିଶ୍ୱାଲଙ୍କୁ ନେଇ ହରିଶଙ୍କର ଛକ ନିକଟରେ ଚଢ଼ାଉ କରିଥିଲେ। ଯାଞ୍ଚ ସମୟରେ ଅଭିଯୁକ୍ତମାନଙ୍କ ନିକଟରେ ଥିବା ଏକ ଧଳା ପ୍ଲାଷ୍ଟିକ ବ୍ୟାଗରୁ ୧୩୦ ବୋତଲ ଏସକଫ କଫ ସିରପ ଜବତ କରାଯାଇଥିଲା। ଘଟଣାସ୍ଥଳରେ ଖପ୍ରାଖୋଲ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଜବତ ସାମଗ୍ରୀର ଗଣନା ଓ ଆଇନଗତ ପ୍ରକ୍ରିୟାର ତଦାରଖ କରିଥିଲେ। ପୋଲିସ ୨ଟି ମୋଟରସାଇକେଲ, ୩ଟି ମୋବାଇଲ ଫୋନ ଏବଂ ୧,୫୯୦ ଟଙ୍କା ନଗଦ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖପ୍ରାଖୋଲ ଥାନା ପାଚେର ଗ୍ରାମର ଅନିଲ ନିଆଲ (୩୧), ମାଟିଆଭଟା ଗ୍ରାମର ଜୀବେଶ ପଣ୍ଡା(୨୪) ଓ ବେଲପଡ଼ା ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ଗ୍ରାମର ଥବିର ଧରୁଆ(୩୯)। ଏନେଇ ଖପ୍ରାଖୋଲ ଥାନାରେ କେସ ନଂ–୧୪୪/୨୦୨୬ ରୁଜୁ କରାଯାଇଥିବା ବେଳେ ତିନିଜଣଙ୍କୁ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ଏହି ବେଆଇନ କଫ ସିରପ କେଉଁଠାରୁ ଆସୁଥିଲା ଏବଂ ଏହାର ନେଟୱାର୍କ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ସେନେଇ ତଦନ୍ତ ଜାରି ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଲିଙ୍ଗରାଜ କିଷାନ ସୂଚନା ଦେଇଛନ୍ତି। ନିଶାମୁକ୍ତ ସମାଜ ଗଠନ ଦିଗରେ ଖପ୍ରାଖୋଲ ପୋଲିସର ଏଭଳି ଲଗାତାର ସଫଳ ଅଭିଯାନ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ବଢ଼ାଇଥିବା ବେଳେ, ବେଆଇନ ନିଶା କାରବାରୀଙ୍କ ପାଇଁ କଡ଼ା ସତର୍କବାଣୀ ସାବ୍ୟସ୍ତ ହୋଇଛି।
