ପୁରୀ: ପୁରୀଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଖାଦ୍ୟ ସୁରକ୍ଷା ଅଧିକାରିଣୀ ରାଜେଶ୍ୱରୀ ପତି ଓ ତାଙ୍କ ଟିମ ସାକ୍ଷୀଗୋପାଳର ବିଭିନ୍ନ ମିଠା ଦୋକାନ ଓ ହୋଟେଲର ଖାଦ୍ୟ ଯାଞ୍ଚ କରି ଜୋରିମାନା ଆଦାୟ କରିଛନ୍ତି । ୩୦ କେଜି ଦୂଷିତ ଖାଦ୍ୟକୁ ନଷ୍ଟ କରାଯାଇ ୨୬ ହାଜର ୫ଶହ ଆଦାୟ କରାଯାଇଥିଲା । ବିଭିନ୍ନ ରନ୍ଧାଖାଦ୍ୟ ପ୍ରସ୍ତୁତ କରୁଥିବା ହୋଟେଲ ଓ ଜଳଖିଆ ଦୋକାନର ଫୁଡ ସେଫଟି ସାର୍ଟିଫିକେଟ ଓ କେଉଁ ପିଣି ବ୍ୟବହାର କରୁଛନ୍ତି ତାର ମାନ ପରୀକ୍ଷା , ଖାଦ୍ୟ ଠିକ ଭାବେ ଗୁଣବତ୍ତା ରହିଛି କି ନାହଁ , ହୋଟେଲର ପରିଷ୍କାର ପରିଚ୍ଛନ୍ନତା, ରୋଷେଇ ଶାଳର ପରିଚ୍ଛନ୍ନତା ବୁଲି ଦେଖିଥିଲେ । ଟିମ ସହ ସତ୍ୟବାଦୀର ଅତିରିକ୍ତ ତହସିଲଦାର ଓ ପୋଲିସ ସାମିଲ ହୋଇଥିଲେ । କଣାସର ଝାଡାବାନ୍ତି ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସାକ୍ଷୀଗୋପାଳ ଚଢ଼ାଉ ହେବା ଘଟଣା ଦେଖି ହୋଟେଲ ଓ ଜଳଖିଆ ଦୋକାନିମାନେ ଛାନିଆ ହୋଇଥିବା ପରିଲକ୍ଷିତ ହୋଇଥିଲା ।
