ପୁରୀ: ଜୁଲାଇ ୧୬ ତାରିଖ ଗୁରୁବାର ପବିତ୍ର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ । ରାଜ୍ୟ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଓ ସୁରକ୍ଷିତ ହୋଇ ସୁଖଦ ଅନୁଭବ ନେଇ ଭକ୍ତ ଫେରିବେ ସେଥିପାଇଁ ମୁଖ୍ୟ୍ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର ସମସ୍ତ ବ୍ଯବସ୍ଥାର ଅନୁଧ୍ୟାନ କରି ବରିଷ୍ଠ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ରଥଯାତ୍ରା ପୂର୍ବରୁ ସହରର ପ୍ରମୁଖ ସ୍ଥାନରେ ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସ ଯାତାୟାତ ସହ ରାଜ୍ଯ ପୋଲିସ ବିଭାଗ ପକ୍ଷରୁ ପୁରୀ ରିଜର୍ଭ ପୋଲିସ ପଡ଼ିଆରେ ରଥଟଣା ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଶୃଙ୍ଖଳିତ ରଥଟଣା, ଇନର କଡନ, ଆଉଟର କଡନ ଆଦିରେ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ସେ ନେଇ ମକଡ୍ରିଲ ଅନୁଷ୍ଠିତ ହୋଇଛି । ରଥ ଟଣା ସମୟରେ କିଭଳି ଦିଗ ନିର୍ଣ୍ଣୟ ଓ ରଥ କଡନକୁ ଶୃଙ୍ଖଳିତ କରାଯିବ ସେ ନେଇ ଅଭ୍ୟାସ କରାଯାଉଛି।

ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସୁରକ୍ଷା ବଳ ତିନି ରଥ ସୁରକ୍ଷା ଦେବା ସହ ଭିଡ଼ ନିୟନ୍ତ୍ରଣ କରିବେ। ମକଡ୍ରିଲରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ(ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ,ଅତିରିକ୍ତ ପୁଲିସ ମହାନିର୍ଦେଶକ (ରେଳବାଇଓ ଉପକୂଳ ସୁରକ୍ଷା) ଅରୁଣ ବୋଥା, ଅତିରିକ୍ତପୁଲିସ ମହାନିର୍ଦ୍ଦେଶକ ( ଆଇନଶୃଙ୍ଖଳା) ସଞ୍ଜୟକୁମାର, ଟ୍ରାନ୍ସପୋର୍ଟ କମିଶନର ଅମିତାଭ ଠାକୁର, କ୍ରାଇମବ୍ରାଞ୍ଚ ଆଇଜି ଡ. ସାର୍ଥକଷଡ଼ଙ୍ଗୀ, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ,ଡିଆଇଜି (ଏସ୍?ଟିଏଫ) ଡ. କନୱାର ବିଶାଳସିଂ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା,ଜିଆଇଜି (କାର୍ମିକ) ଯୁଗଳ କିଶୋର କୁମାରବନୋଥ, ଡିଆଇଜି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧର,ଡିଆଇଜି ଆଶିଷ ସିଂହ, ଆଇକିପି (ଉତ୍ତର-କେନ୍ଦ୍ରାଞ୍ଚଳ) ସତ୍ୟବ୍ରତ ଭୋଇ, ଡିଆଇଜି(ପୂର୍ବାଞ୍ଚଳ) ପିନାକ ମିଶ୍ରଙ୍କ ସମେତ ଏସ୍ପି ପ୍ରତୀକ ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।
