ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଜଣେ ଅବସରପ୍ରାପ୍ତ ଅଧିକାରୀ ନିଜ ପତ୍ନୀକୁ ହତ୍ୟା କରଛନ୍ତି। ଅଭିଯୁକ୍ତ ଜଣକ ହେଲେ ୭୫ ବର୍ଷୀୟ ନାଗେଶ୍ୱର ରାଓ ଓ ହତ୍ୟାକାଣ୍ଡର ଶିକାର ହୋଇଥିବା ତାଙ୍କ ପତ୍ନୀ ହେଉଛନ୍ତି ସଂଧ୍ୟାଶ୍ରୀ(୬୫)। ବୁଧବାର ସକାଳ ୧୦ଟା ସମୟରେ ସଂଧ୍ୟାଶ୍ରୀ ଗଧୋଇବା ପାଇଁ ଯାଉଥିବା ବେଳେ କୌଣସି କାରଣରୁ ନାଗେଶ୍ୱର ଏକ ଟାୱଲରେ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ ବୋଲି ପୋଲିସ କହିଛି। ପତ୍ନୀଙ୍କୁ ମାରିବା ପରେ ନାଗେଶ୍ୱର ନିଜର ବନ୍ଧୁମାନଙ୍କୁ ଏ ବିଷୟରେ ଫୋନରେ ଜଣାଇଥିଲେ। ନିଜେ ମଧ୍ୟ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ। ଘଟଣା ସମୟରେ ଏହି ବୟସ୍କ ଦମ୍ପତିଙ୍କ ଝିଅ ଘରେ ନଥିଲେ। ତେବେ ପୋଲିସ ଜେରା ବେଳେ ନାଗେଶ୍ୱର କହିଥିଲେ କି ତାଙ୍କ ପତ୍ନୀ ତାଙ୍କୁ ଟାୱଲରେ ମାରିବାକୁ ଉଦ୍ୟମ କରିଥିଲେ। ଏଥିରୁ ବର୍ତ୍ତିବାକୁ ଯାଇ ସେ ତାଙ୍କୁ ମାରିଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନାଗେଶ୍ୱର କିଛିଦିନ ତଳୁ ମାନସିକ ଜନିତ ଅସୁସ୍ଥତାରେ ରହିଥିଲେ।
