ପୁରୀ: ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦିରୁ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ ହୋଇ ବଡଦାଣ୍ଡରେ ଘର ଘର ନାଦ କରି ରଥ ଗଡିବ ।ଆଉ ୪ଦନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡ ସମେତ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଚିତ୍ରକାର ସେବକ ମାନେ ତିନିରଥର ପାର୍ଶ୍ୱ ଦେବାଦେବୀଙ୍କ ଜୀବନ୍ତ ପ୍ରତୀକ କରିଛନ୍ତି ।

ତିନିରଥର ୨୭ ପାର୍ଶ୍ୱ ଦେବାଦେବୀଙ୍କୁ ସ୍ଥାପନ କରାଯାଇଛି ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ବିଜେ କରିଛନ୍ତି ୯ ଜଣ ପାର୍ଶ୍ୱଦେବତା ସେମାନେ ହେଉଛନ୍ତି ପଞ୍ଚମୁଖୀ ମହାବୀର, ହରିହର,ମଧୁସୂଦନ,ଗିରିଗୋବର୍ଦ୍ଧନ ଧାରୀ,ପଣ୍ଡୁ ନୃସିଂହ ଚିନ୍ତାମଣି କୃଷ୍ଣ,ନାରାୟଣ,ରାବଣ ଛତ୍ରଭଙ୍ଗ, ରାମ ଏବଂ ହନୁମାନ । ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥରେ ବିଜେ କରିଛନ୍ତି ୯ ଜଣ ପାର୍ଶ୍ୱଦେବତା ସେମାନେ ହେଉଛନ୍ତି ବାଇଶି ଭୁଜନୃସିଂହ, ପ୍ରଲମ୍ବାରୀ,ଗଜାନ୍ତକ,ଲକ୍ଷ୍ମଣ ଏବଂ ଅଙ୍ଗଦ, କାର୍ତ୍ତିକେୟ,ଶଙ୍କର୍ଷଣ ବା ବାସୁଦେବ,ନାଟାମ୍ବର,ନୃତ୍ୟରତ ଗଣପତି ଓ ବଳରାମ ।

ଦେବୀ ମା ସୁଭଦ୍ରାଙ୍କର ଦେବଦଳନ ବା ଦର୍ପଦଳନ ରଥରେ ବିଜେ କରିଛନ୍ତି ୯ ଜଣ ପାର୍ଶ୍ୱଦେବୀ ସେମାନେ ହେଉଛନ୍ତି, ବିମଳା, ବନଦୁର୍ଗା,ବାରାହି,ଚାମୁଣ୍ଡା,ଭୁବନେଶ୍ୱରୀ,ହରଚଣ୍ଡୀ,ଜୟଦୁର୍ଗା,ସ୍ୱର୍ମଙ୍ଗଳା ଓ ଉଗ୍ରତାରା । ତିନିରଥରେ ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ପାର୍ଶ୍ୱ ଦେବାଦେବୀଙ୍କୁ ଫିଟିଙ୍ଗ କରାଯାଇଛି । ତିନିରଥର ପାର୍ଶ୍ୱ ଦେବାଦେବୀଙ୍କୁ ଭକ୍ତ ଦର୍ଶନ କରି ପ୍ରଣାମ କରୁଛନ୍ତି ।
