ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୪ ଶ୍ରମ ସଂହିତାକୁ ବିରୋଧ କରି ୧୦ରୁ ଅଧିକ କେନ୍ଦ୍ରୀୟ ବାଣିଜ୍ୟ ଏବଂ କୃଷକ ସଂଗଠନ ଦ୍ୱାରା ଗୁରୁବାର ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ଧର୍ମଘଟ ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ପରିବହନ ସେବା, ସରକାରୀ କାର୍ଯ୍ୟାଳୟ ଏବଂ କିଛି ଶିଳ୍ପ ସଂସ୍ଥାର କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ଅଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ଲାଗୁ କରିଥିବା ଶ୍ରମ ସଂହିତା ଶ୍ରମିକଙ୍କ ଅଧିକାର ଏବଂ ସୁରକ୍ଷାକୁ ଦୁର୍ବଳ କରୁଛି। ନିଯୁକ୍ତିଦାତାମାନଙ୍କ ପାଇଁ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ବହିଷ୍କାର କରିବା ସହଜ ହୋଇଛି। ଏହାଛଡ଼ା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ସଂଗଠନ ଉଦ୍ବେଗ ପ୍ରକାଶ କରିଛି। ଏଆଇଟିୟୁସି, ଆଇଏନଟିୟୁସି, ସିଆଇଟିୟୁ, ଏଚଏମଏସ,ଟିୟୁସିିସି, ଏସଇଡବ୍ଲୁଏ, ଏଆଇୟୁଯୟୁସି, ଏଆଇସିସିଟିୟୁ, ଏପିଏଫ ଏବଂ ୟୁଟିୟୁସି ସଂଗଠନ ଦ୍ୱାର ଏହି ଧର୍ମଘଟ ଡାକରା ଦିଆଯାଇଛି। ପ୍ରାୟ ୩୦ କୋଟି କର୍ମଚାରୀ ଏହି ଆନ୍ଦୋଳନରେ ଭାଗ ନେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
