ଯୋଡ଼ା :- କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଆସନ୍ତା ୧୬ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ଲକ୍ଷ୍ୟରେ ଗୁରୁବାର ଯୋଡ଼ା ନଗର ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଡ଼ା, ବିଲେଇପଦା ଓ ପୂରୁଷୋତ୍ତମ ପୁର ରଥଯାତ୍ରା କମିଟିର ସଭାପତି ଓ ସମ୍ପାଦକ ମାନଙ୍କ ସମେତ ଶ୍ରଦ୍ଧାଳୁ ମାନେ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଯୋଡ଼ା ଜଗନ୍ନାଥ ମନ୍ଦିରର ମୁଖ୍ୟ ଡାକ୍ତର ଏ.କେ ଦାସ, ଯୋଡ଼ା ପୌରପାଳିକାର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ଏବଂ ଯୋଡ଼ା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାମଲ ମଞ୍ଚାସୀନ ହୋଇଥିଲେ । ଏହା ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଡାକ୍ତର ଏ.କେ ଦାସ ରଥଯାତ୍ରା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲାବେଳେ ସୁରକ୍ଷା ଦୁଷ୍ଟିରୁ ଆଇଆଇସି ଶ୍ରୀ ସାମଲ କହିଥିଲେ ଯେ, ତିନି ସ୍ଥାନର ରଥଯାତ୍ରା ପାଇଁ ପର୍ଯ୍ୟାପ୍ତ ପୁଲିସ୍ ଫୋର୍ସ ନିଯୁକ୍ତ କରାଯିବ । ରଥ ଟଣା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ଏବଂ ସେ ନିଜେ ୩ ଜାଗାର ତଦାରଖ କରିବେ । ବୈଠକରେ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ରଥଯାତ୍ରା ପୂର୍ବରୁ ସମସ୍ତ ଆମିଷ ଦୋକାନ ଓ ମଦ ଦୋକାନ ମାନ ବନ୍ଦ କରିବାକୁ ପୌରାଧ୍ୟକ୍ଷ ଡାକ୍ତର ସାହୁଙ୍କୁ ଆପତ୍ତି କରିଥିଲେ । ସେ ମଧ୍ୟ ଏହା ଉପରେ ପଦକ୍ଷପ ନେବେ ବୋଲି କହିଛନ୍ତି । ସେମିତି ଶରତ ନାୟକଙ୍କ ଅପତ୍ତିଥିଲା ଯେ, ମହାପ୍ରଭୁଙ୍କ ପହଣ୍ଡି କାର୍ଯ୍ୟକ୍ରମ ଶୀଘ୍ର ଆରମ୍ଭ କରାଯିବା ଦରକାର । ତାହେଲେ ରଥ ଶୀଘ୍ର ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିବ । ଏହି ପ୍ରସ୍ଥାବକୁ ସମସ୍ତେ ସ୍ୱାଗତ କରିଥିଲେ । ଅପରପକ୍ଷେ ବୈଠକରେ ତିନି କମିଟିର ସଭାପତି ମାନେ କହିଥିଲେ ଯେ, ପ୍ରଶାସନର ସହଯୋଗରେ ଏ ବର୍ଷ ମଧ୍ୟ ଯୋଡ଼ାର ସବୁ ରଥଯାତ୍ରା ଗୁଡିକ ଆହୁରି ଆଡମ୍ବରର ସହ ପାଳନ କରାଯିବ । ଏହି ଅବସରରେ ସାଧାରଣ ଜନତାଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଶେଷରେ ମନ୍ଦିର ପୂଜକ ଧନ୍ୟବାଦ ଜଣାଇ ବୈଠକ ଶେଷ କରିଥିଲେ ।
