ରାୟଗଡ଼ା: ଓଡ଼ିଶାରେ ମାଓବାଦ ଇତିହାସରେ ପଡ଼ିବାକୁ ଯାଉଛି ଯବନିକା। ପୋଲିସ ହାତରେ ଧରା ଦେଲେ ଟପ୍ ମାଓ ଦମ୍ପତି ନିଖିଲ ଓ ଇନ୍ଦୁ। ରାୟଗଡ଼ା ଜିଲ୍ଲାର ଘନ ଜଙ୍ଗଲରୁ ପତ୍ନୀ ଇନ୍ଦୁ, ୭ ମହିଳା କ୍ୟାଡର ସହ ମୋଟ ୧୫ ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନର ପୂର୍ବି ବ୍ୟୁରୋ ସମ୍ପାଦକ ନିଖିଲ ଓରଫ୍ ନିରଞ୍ଜନ ରାଉତ। ଉଭୟ ନିଖିଲ ଓ ତା ପତ୍ନୀ ଇନ୍ଦୁ ମୁଣ୍ଡ ପାଇଁ ପୋଲିସ ଘୋଷଣା କରିଥିଲା ୧ କୋଟି ୩୦ ଲକ୍ଷ ଟଙ୍କାର ଇନାମ। ଆଜି ଆମ ରାୟଗଡ଼ା ପ୍ରତିନିଧିଙ୍କ ଉପସ୍ଥିତିରେ ସମାଜର ମୁଖ୍ୟସ୍ରୋତକୁ ନିଖିଲ ଫେରିବା ପରେ ରାଜ୍ୟରେ ସକ୍ରିୟ ଥିବା ଆଉ କିଛି ହାତ ଗଣତି ମାଓବାଦୀଙ୍କୁ ସରେଣ୍ଡର ପାଇଁ ଅପିଲ କରିଛନ୍ତି ପୋଲିସ ଡିଜି। ରାୟଗଡ଼ା ଜିଲ୍ଲା ପୋଲିସ ଆଗରେ ଆଜି ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତକୁ ଫେରିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନ ପୂର୍ବି ବ୍ୟୁରୋ ସମ୍ପାଦକ ନିଖିଲ ଓରଫ ନିରଞ୍ଜନ ରାଉତ ଓ ପତ୍ନୀ ଇନ୍ଦୁ ଓରଫ୍ ଅଙ୍କିତା ଲେଙ୍କା। ସେମାନଙ୍କ ସହ ମୋଟ ୧୫ ମାଓବାଦୀ ଆଜି ହିଂସାର ରାସ୍ତା ଛାଡ଼ି, ଶାନ୍ତି ରାସ୍ତାରେ ପାଦ ଦେଇଛନ୍ତି। ଓଡ଼ିଶାର ରାୟଗଡ଼ା, ଗଜପତି, କନ୍ଧମାଳ ଜିଲ୍ଲାରେ ‘ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଓବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିବା ନିଖିଲ୍ ମୁଣ୍ଡ ପାଇଁ ଘୋଷଣା ହୋଇଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର। ମୁଖ୍ୟ ଶ୍ରୋତକୁ ଫେରିବା ପରେ ନିଖଲ କହିଛନ୍ତି ପରିବର୍ତିତ ପରିସ୍ଥିତିରେ ନିଜକୁ ଖାପ ଖୁଆଇବାକୁ, ଶେଷରେ ମାଓ ସଂଗଠନ ଛାଡ଼ିଛି । କିନ୍ତୁ ଗଣତାନ୍ତ୍ରିକ ଉପାୟରେ ଲଢେଇ କରି ନିଷ୍ପେଶିତ, ଦଳିତ ଓ ମହିଳାଙ୍କ ପାଇଁ କାମ କରିବାର ଜୋସ ଯାଇନି। ଏବେ ଆତ୍ମସମର୍ପଣ ପରେ ସରକାର ସେମାନଙ୍କ ଦାବିକୁ ଗୁରୁତ୍ୱ ଦେବେ।
ଆତ୍ମସମର୍ପଣ କଲେ ଟପ ମାଓନେତା ନିଖିଲ ଓ ଇନ୍ଦୁ; ମୁଣ୍ଡ ଉପରେ ଥିଲା ୧ କୋଟି ୩୦ ଲକ୍ଷ ଇନାମ















Leave a Reply