ଭଞ୍ଜନଗର: ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମ ମୁଖ୍ୟ ରାସ୍ତାରେ ଗୁରୁବାର ସନ୍ଧ୍ୟା ସାଢେ ୫ଟା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ପୁଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ତତ୍କାଳ ସହାୟତା ପ୍ରଦାନ କରିବା ସହ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବାକୁ ପ୍ରତିଶ୍ରୁତି ମିଳିବା ପରେ ଶେଷରେ ସନ୍ଧ୍ୟା ୭ଟା ପରେ ରାସ୍ତାରୋକ ହଟିଥିଲା। ସୂଚନା ପ୍ରକାରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ପଞ୍ଚାୟତର ଗୁଡିଆମ୍ବା ଗ୍ରାମର ରାମଚନ୍ଦ୍ର ସାହୁଙ୍କ ପୁଅ ଅଚ୍ୟୁତାନନ୍ଦ ସାହୁ (୪୦) ୮ ଦିନ ପୂର୍ବେ ଅପରାହ୍ନ ୩ଟା ରୁ ଘରୁ ବାହାରି କୌ÷ଣସି କାମରେ ଜିଲୁଣ୍ଡି ଆସୁଥିବା ବେଳେ ରାସ୍ତାରେ ମଳାସପଦର ଛକ ନିକଟରେ ଏକ ଅଜଣା ଟ୍ରକ୍ ଧକ୍କାରେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୁରୁତର ଆହତ ଅଚ୍ୟୁତାନନ୍ଦଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଅଚ୍ୟୁତାନନ୍ଦଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅଚ୍ୟୁତାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବା ପରେ ଶବ ନେଇ ପରିବାର ଲୋକେ ଗାଁକୁ ଫେରିବା ପରେ ଜିଲୁଣ୍ଡି ମୁଖ୍ୟ ରାସ୍ତାରେ ଶବକୁ ରଖି ନ୍ୟାୟ ପ୍ରଦାନ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା। ଏସପି ରଞ୍ଜନ କୁମାର ଦେ, ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ସମେତ ବହୁ ଥାନା ଷ୍ଟାଫ୍ ଓ ଫୋର୍ସ ଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା ମୃତକଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଆଉ ପରିବାର ଲୋକେ ଶବକୁ ନେଇ ଗୁଡିଆମ୍ବା ଗାଁ କୁ ଯାଇ ସେଠାରେ ଅନ୍ତିମ ସତ୍କାର କରିଥିଲେ। ମୃତ ଅଚ୍ୟୁତାନନ୍ଦ ସାହୁ (୪୦) ଅତ୍ୟନ୍ତ ଗରିବ ଓ ଅସହାୟ ବ୍ୟକ୍ତି ଥିଲେ। ତାଙ୍କର ଗୋଟିଏ ପୁଅ ଓ ୨ଟି ଝିଅ ଅଛନ୍ତି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ବିଶେଷଙ୍କୁ ହରାଇ ଏବେ ଏହି ପରିବାର ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସେହିପରି ଖୁବଶୀଘ୍ର ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଖୋଜି ବାହାର କରାଯିବ ଓ ସଂପୃକ୍ତ ପରିବାର ନ୍ୟାୟ ପାଇବ ବୋଲି ଥାନାଧିକାରୀ ଜେନା ସୂଚନା ଦେଇଛନ୍ତି।
