ପୁରୀ: ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ବନ୍ଧୁ ମାନେ ମହାବିଦ୍ୟାଳୟର ଚଳିତ ବର୍ଷର ତିନି ବିଭାଗ କଳା, ବିଜ୍ଞାନ ଓ ବାଣିଜ୍ୟର ଶ୍ରେଷ୍ଠ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ବର୍ଦ୍ଧନା ଉତ୍ସବ ପାଇଁ ମହାବିଦ୍ୟାଳୟର ଅଡିଟୋରିୟମରେ ଅଧ୍ୟକ୍ଷ ଡ଼ଃ ଚିତ୍ତରଂଜନ ଦ୍ୱିବେଦୀଙ୍କ ସମେତ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଅନୁଷ୍ଠାନ ପ୍ରାକ୍ତନୀ ର ସଭ୍ୟ ବନ୍ଧୁ ଡ଼ଃ ଚିତ୍ତରଂଜନ ମିଶ୍ର, ବିରଞ୍ଚି ନାରାୟଣ ଦାଶ,ଗୋରହରି ପ୍ରଧାନ, କୃଷ୍ଣ ନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ୩ ଜଣ ଶ୍ରେଷ୍ଠ କୃତି ଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ କଳା ବିଭାଗର ଶ୍ରେଷ୍ଠ ସ୍ନାତକ ଆଶୁତୋଷ କର, ବାଣିଜ୍ୟ ବିଭାଗର ଶ୍ରେଷ୍ଠ ସ୍ନାତକ ଲିପ୍ସିତା ମହାରଣା ଓ ବିଜ୍ଞାନ ବିଭାଗର ଶ୍ରେଷ୍ଠ ସ୍ନାତକ ବୈଶାଖୀ ପ୍ରିୟଦର୍ଶିନୀ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା। ତତ୍ ସହିତ ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ଚଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସ୍ନିଗ୍ଧାମୟୀ ସ୍ୱାଇଁ ଓ ସୈମ୍ୟରଞ୍ଜନ ସ୍ୱାଇଁ ଙ୍କୁ ମାନପତ୍ର ଓ ପୁଷ୍ପଗୁଛ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧିନା କରାଯାଇଥିଲା।ମୁଖ୍ୟ ଅତିଥି ଅଧ୍ୟକ୍ଷ ଡ଼ଃ ଚିତ୍ତରଂଜନ ଦ୍ୱିବେଦୀଙ୍କ ଭାବପୂର୍ଣ୍ଣ ଭାଷଣରେ କହିଥିଲେ ଯେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ସର୍ବପୁରାତନ ଶ୍ରେଷ୍ଠ ମହାବିଦ୍ୟାଳୟ, ଏହି ଅନୁଷ୍ଠାନର ସହସ୍ରାଧିକ କୃତି ଛାତ୍ର ଛାତ୍ରୀ ଦେଶ ଓ ଦେଶ ବାହାରେ ବହୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଉତ୍ତରଦାୟିତ୍ୱ ନିଭାଇଛନ୍ତି, ସେମାନଙ୍କ ସାହାଯ୍ୟ ଓ ସହଯୋଗ ପ୍ରତି ମୂହୁର୍ତ୍ତ ରେ ସ୍ୱାଗତ ଯୋଗ୍ୟ ଯାହା ଏ ଐତିହାସିକ ମହାବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ।ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡକ୍ଟର ଦିଲ୍ଲୀପ କୁମାର ସ୍ୱାଇଁ, ରବିନ୍ଦ୍ରନାଥ ପ୍ରଧାନ, ମହେନ୍ଦ୍ର କୁମାର ପ୍ରମୁଖ ସହିତ ଶତାଧିକ ଛାତ୍ରଛାତ୍ରୀ ଏହି ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ପ୍ରାକ୍ତନୀର ସହଯୋଗୀ ବନ୍ଧୁ ମାନଙ୍କ ମଧ୍ୟରେ ସାମ୍ବାଦିକ ତଥା ସମାଜସେବୀ ନାରାୟଣ ଦାଶ, ଡ଼ଃ ସଦାନନ୍ଦ ମିଶ୍ର, ବଳରାମ ଆଚାର୍ଯ୍ୟ,ନିଧି କୁମାର ରାଉତରାୟ, କୁମୁଦିନୀ ମିଶ୍ର, ବିଜୟ କୁମାର ପାତ୍ର, ଶ୍ରୀକାନ୍ତ ମିଶ୍ର, ନ୍ୱଘନ ଶତପଥୀ, ସତ୍ୟବାଦୀ ଦାଶ , ମହେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ। ପ୍ରାକ୍ତନୀ ବନ୍ଧୁ କୃଷ୍ଣ ନାୟକ କାର୍ଯ୍ୟକ୍ରମକୁ ସଞ୍ଜୋଜନା କରିଥିଲେ ।
