ବାରିପଦା: ପୋଲିସ ଏବଂ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚୋରା ଗୋ ଚାଲାଣ ଚାଲିଥିବାର ବିଭିନ୍ନ ସମୟରେ ଗଣ ମାଧ୍ୟମରେ ଅଭିଯୋଗ ହୋଇ ଆସୁଥିବା ବେଳେ, ଏବେ ତାର ଏକ ପ୍ରମାଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନାରେ । ଗୋ ମାଫିଆକୁ ସହଯୋଗ କରି ଚଢ଼ାଉ ବେଳେ ଫେରାର ହେବାରେ ସହାୟତା କରିଥିବା ଅଭିଯୋଗରେ ଥାନାର ୨ଜଣ ପୋଲିସ ବାବୁ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ପୋଲିସ ବାବୁ ମାନଙ୍କ ମଧ୍ୟରେ ଝାରପୋଖରିଆ ଥାନାର ଏଏସଆଇ ରଞ୍ଜିତ ନାୟକ ଓ କନଷ୍ଟେବଲ ଆଶିଷ ନାଏକ ନିଲମ୍ବିତ ହୋଇଛନ୍ତି । ସେହିପରି ଝାରପୋଖରୀଆ ଥାନାରେ କାର୍ଯ୍ୟରତ ଆଉ ଜଣେ ହୋମଗାର୍ଡ ସୁବ୍ରତ ପାଢ଼ୀଙ୍କୁ ବହିଷ୍କାର ପାଇଁ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଟୁପାଲି ହୋମଗାର୍ଡ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସୁପାରିସ କରି ଥିବାର ଜଣାଯାଇଛି । ସୂଚନା ମୁତାବକ ଜୁନ ୧୩ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଗୋ ମାଫିଆ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଏକ ବଡ଼ ଧରଣର ଚଢ଼ାଉ ପାଇଁ ପୋଲିସ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି କ୍ରମରେ ଝାରପୋଖରିଆ ଅଞ୍ଚଳର ଜଣେ ହାଇପ୍ରୋଫାଇଲ ଗୋ ମାଫିଆଙ୍କ ଘରେ ଚଢ଼ାଉ କରିବାକୁ ପୋଲିସ ପ୍ରସ୍ତୁତ ହେଉଥିବା ବେଳେ ଝାରପୋଖରୀଆ ଥାନାର କିଛି କର୍ମଚାରୀ ସମ୍ପୃକ୍ତ ମାଫିଆଙ୍କୁ ଚଢ଼ାଉ ପୂର୍ବରୁ ଗୁପ୍ତ ସୂଚନା ଦେଇଦେଇଥିଲେ । ଫଳରେ ପୋଲିସ ଦଳ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ଚତୁରତାର ସହ ମାଫିଆ ଜଣକ ଖସି ପଳାଇବାରେ ସଫଳ ହୋଇଥିଲେ । ପୋଲିସର ଏହି ବଡ ଧରଣର ରେଡ ଫେଲ ହେବା ପଛର ପ୍ରମାଣ ସିସି ଟିଭି ଫୁଟେଜ ରେ ଦେଖିବାକୁ ମିଳିଥିଲା । ଏନେଇ ଗଣ ମାଧ୍ୟମରେ ଅଭିଯୋଗ ହେବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏହାର ତଦନ୍ତ କରିଥିଲା । ତଦନ୍ତ ରିପର୍ଟ ଆସିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ଜଣାଯାଇଛି । ଏବାବଦରେ ମୟୁରଭଞ୍ଜ ଏସପି ବରୁଣ ଗୁଣ୍ଡୁପାଲିଙ୍କ ପ୍ରକାଶ କରିଛନ୍ତିଯେ, ଅପରାଧୀଙ୍କ ସହ ସଲାସୁତୁରା କରୁଥିବା କୌଣସି ବି କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ । ପୋଲିସ ବିଭାଗର ସ୍ୱଚ୍ଛତା ଏବଂ ନିଷ୍ଠା ସବୁଠୁ ଉପରେ । ଯେଉଁମାନେ ଆଇନର ଗୋପନୀୟତା ଭଙ୍ଗ କରିବେ, ସେମାନଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ଜାରି ରହିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ତେବେ ଜିଲ୍ଲାରେ କେବଳ ଝାରପୋଖରୀଆ ନୁହେଁ ବିଭିନ୍ନ ଥାନା ଅଞ୍ଚଳରେ ବାଲି, ପଥର, ଗୋରୁ, ଗଂଜେଇ ଆଦି କଳା ବେପାରରେ ସାମିଲ ଥିବା ମାଫିଆ ଗୋଷ୍ଠୀଙ୍କର ପୋଲିସ ବାବୁ ମାନଙ୍କ ସହିତ ସଲା ସୁତୁରା ରହିଛି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ଏଥିପାଇଁ ସରକାର ବ୍ୟାପକ ରାଜସ୍ୱ ହରାଇବା ସହ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଅପରାଧ ବଢ଼ିବା ସହ ଆଇନଶୃଙ୍ଖଳା ମଧ୍ୟ ବାଧାପ୍ରାପ୍ତ ହେଉଛି । ଏଣୁ ଏବାବଦରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀ ତଥା କର୍ମଚାରୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ଜୋର ଧରିଛି ।
