ଲୋକନାଥଙ୍କ ଜାଗର ପ୍ରସ୍ତୁତି ବୈଠକ

Spread the love

ଲୋକନାଥଙ୍କ ଜାଗର ପ୍ରସ୍ତୁତି ବୈଠକ
ପୁରୀ (ବ୍ୟୁରୋ) :ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ମହାଶିବରାତ୍ରି ବା ଜାଗର ପଡୁଛି। ଲୋକନାଥ ପୀଠ ରେ ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ଜାଗର ଯାତ୍ରା କୁ ସୁଚାରୁରୂପେ ପରିଚାଳନା ପାଇଁ ଏକ ବୈଠକ ଆଜି ଅପରାହ୍ନରେ ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଉପ ଜିଲ୍ଲାପାଳ ରାଜ କିଶୋର ଜେନା ସମସ୍ତଙ୍କୁ ସ୍ୱାଗତ କରିବା ସହ ନିର୍ଦ୍ଧାରିତ ହୋଇ ଥିବା ନୀତି ସମ୍ପର୍କରେ ସୂଚନା ଦେଇଥିଲେ।ଜାଗର ଯାତ୍ରା ରେ ବିପୁଳ ଜନସମାଗମ ହୋଇ ଥାଏ।ତେଣୁ ଚଳିତ ଯାତ୍ରା କୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳନା ସହ ଯେପରି ଶ୍ରଦ୍ଧାଳୁ ମାନଙ୍କୁ କୌଣସି ଅସୁବିଧା ନ ହୁଏ ଓ ସେମାନେ ଏକ ସୁଖଦ ଅନୁଭୂତି ନେଇ ଘରକୁ ଯିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଚଳିତ ମାସ ୧୩ ତାରିଖରେ ହେବାକୁ ଥିବା ପଙ୍କୋଦ୍ଧାର ଏକାଦଶୀ ଓ ୧୫ ତାରିଖରେ ହେବାକୁ ଥିବା ଜାଗର ଯାତ୍ରାର ନୀତିକାନ୍ତି, ସମୟ ନିର୍ଘଂଟର ସୂଚନା ଦିଆଯିବା ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଛନ୍ନତା, ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ସଠିକ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପଙ୍କୋଦ୍ଧାର ପାଇଁ ୧୩ ତାରିଖ ରାତ୍ର ୧୨.୩୦ ଘଟିକା ସମୟରେ ପହୁଡ଼ ଦ୍ୱାର ଖୋଲା, ରାତ୍ର ୧.୧୫ ମିନିଟରୁ ମଙ୍ଗଳ ଆରତୀ, ଅବକାଶ ଇତ୍ୟାଦି, ରାତ୍ର ୧.୪୫ ମିନିଟ ରୁ ରାତ୍ର ୩ ଘଟିକା ମଧ୍ୟରେ ସକାଳ ଧୂପ,ରାତ୍ର ୩ ଘଟିକା ରୁ ରାତ୍ର ୪ ଘଟିକା ମଧ୍ୟରେ ମଧ୍ୟାହ୍ନ ଧୂପ, ରାତ୍ର ୪ ଘଟିକା ରୁ ସକାଳ ୮ ଘଟିକା ପର୍ଯ୍ୟନ୍ତ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଓ ମାଘ ସ୍ନାନ, ଦିବା ୧୨ ଘଟିକାରୁ ରାତ୍ର ୧୦ ଘଟିକା ସର୍ବସାଧାରଣ ଦର୍ଶନ ଓ ରାତ୍ର ୧୦ ଘଟିକାରୁ ରାତ୍ର ୧୧ଟା ମଧ୍ୟରେ ଧୂପ ଓ ଅନ୍ୟାନ୍ୟ ନୀତି ଏବଂ ବଡସିଂହାର ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହେଲା।ସେହିପରି ୧୫ ତାରିଖ ଜାଗରରେ ରାତ୍ର ୧୨.୩୦ ରୁ ପହୁଡ଼ ଓ ଦ୍ୱାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର ୧୦ ରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ନୀତି,ରାତ୍ର ୨ ଘଟିକା ରୁ ରାତ୍ର ୩ ଘଟିକା ପର୍ଯ୍ୟନ୍ତ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ପ୍ରଜ୍ୱଳନର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!