ପୁରୀ: ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ୨୦୨୬ର ସୁରକ୍ଷିତ, ଶୃଙ୍ଖଳିତ ଓ ସୁଚାରୁ ପରିଚାଳନାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଜି ପୁରୀ ପୁଲିସ ପକ୍ଷରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ (ଡିପିଓ), ପୁରୀଠାରେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୁରୀ ଏସପି ପ୍ରତୀକ ସିଂ ଅଧ୍ୟକ୍ଷତା କରି ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ ସଜାଗତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ପୁରୀ ପୁଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା, ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଝଙଏ), ରେଳବାଇ, ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ରଥଯାତ୍ରା ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ତ୍ୱରିତ ସମନ୍ୱୟ, ସୂଚନା ଆଦାନ ପ୍ରଦାନ ଓ ଜରୁରୀକାଳୀନ ପରିସ୍ଥିତିରେ ଶୀଘ୍ର ପ୍ରତିକ୍ରିୟା ସୁନିଶ୍ଚିତ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଭିଡ଼ ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥାପନ, ଜରୁରୀକାଳୀନ ଉଦ୍ଧାର ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ରେଳ ଷ୍ଟେସନ ଓ ବସ୍ ଟର୍ମିନାଲରେ ସୁରକ୍ଷା, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅତିରିକ୍ତ ନଜରଦାରି, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ସିସିଟିଭି ନିରୀକ୍ଷଣ, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ବିଭିନ୍ନ ଆକସ୍ମିକ ପରିସ୍ଥିତିକୁ ସଫଳତାର ସହ ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ଏହାସହ ବିଭିନ୍ନ ସୁରକ୍ଷା ଏଜେନ୍ସି ଓ ବିଭାଗ ମଧ୍ୟରେ ଏକ ସମନ୍ୱିତ କାର୍ଯ୍ୟପଦ୍ଧତି ଅନୁସରଣ କରି ଯେକୌଣସି ଆକସ୍ମିକ କିମ୍ବା ଜରୁରୀ ପରିସ୍ଥିତିରେ ଶୀଘ୍ର, ସଠିକ୍ ଓ ପ୍ରଭାବଶାଳୀ ପ୍ରତିକ୍ରିୟା ପାଇଁ ସମସ୍ତଙ୍କୁ ସଜାଗ ଓ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ସମସ୍ତ ବିଭାଗ ନିଜ ନିଜ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିବା ସହ ପରସ୍ପର ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ପାଇଁ ମତାମତ ରଖିଥିଲେ। ଏହି ଅବସରରେ ଏସପି ପ୍ରତୀକ ସିଂ କହିଥିଲେ ଯେ, ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଧାର୍ମିକ ମହୋତ୍ସବ ହୋଇଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି। ସେମାନଙ୍କର ସୁରକ୍ଷା, ସୁବିଧା ଓ ନିର୍ବିଘ୍ନ ଦର୍ଶନ ପୁଲିସର ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ ସମସ୍ତ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ, ପୂର୍ବ ପ୍ରସ୍ତୁତି ଓ ସତର୍କତା ଅତ୍ୟନ୍ତ ଆବଶ୍ୟକ। ପୁରୀ ପୁଲିସ ରଥଯାତ୍ରା ୨୦୨୬କୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ସମୀକ୍ଷା ବୈଠକ ଓ ପ୍ରସ୍ତୁତିମୂଳକ କାର୍ଯ୍ୟକ୍ରମ ଜାରି ରହିବ।
